କଟକ: ଜଣେ ବୁଦା ମୂଳେ ଫୋପାଡି ଦେଇଥିଲା । ଆଉ ଜଣେ ଆପଣାଇ ନେଲା । ସେଦିନ ବୁଦାମୂଳରେ କଇଁ କଇଁ ହୋଇ କାନ୍ଦୁଥିବା କୁନି ଝିଅ, ଏବେ ସ୍ୱପ୍ନର ସହରକୁ ଯାଉଛି । ଅପରିଚିତ ଅତୀତକୁ ପିଠି କରି ସେ ଗଢିବ ଭାଗ୍ୟଶାଳୀ ଭବିଷ୍ୟତ । ସମସ୍ତଙ୍କ ପରି ମଧ୍ୟ ବାପା ମାର ସ୍ନେହ ଆଦର ପାଇବ । ଯିଏ ଦିନେ ଜନ୍ମ କଲା ବାପା ମାଙ୍କ ପାଇଁ ଅଲୋଡା ଥିଲା ,ଆଜି ସିଏ ଆମେରିକାର ବାପା ମା ନାଁରେ ପରିଚୟ ସୃଷ୍ଟି କରିବ । ଏହି ଦେଖୁ ନାହାନ୍ତି, ଏତେ ଲୋକଙ୍କ ଗହଳି ଭିତରେ ସେ କିଛି ବୁଝିପାରୁନି । କାହିଁକି ବସୁନ୍ଧରାର କୋଳରୁ ବିଦେଶୀଙ୍କ କୋଳକୁ ଯାଇଛି ତାହା ବି ଜାଣି ପାରୁନି ଅଲୋଡ଼ା ଶିଶୁକନ୍ୟା ଲିଲିୟାନା । ହେଲେ ଏବେ ତା ବାପା ଡେଭିଡ୍ ଆଉ ମାଆ ହେଉଛନ୍ତି ଆନା । ମାଆ ଥାଇ ବି ଅନାଥ ହୋଇ ଯାଇଥିବା ଏ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଆମେରିକାର ଏହି ଦମ୍ପତି ।
୪ବର୍ଷ ତଳେ ଲିଲିୟାନାକୁ ନନ୍ଦନକାନନ ନିକଟରେ ଏକ ବୁୁଦାମୂଳେ ଜନ୍ନକଲା ନିଷ୍ଠୁର ମା ଫୋପାଡି ଦେଇ ଚାଲିଯାଇଥିଲା । ଯେଉଁ ସମୟରେ ମାଆର ସ୍ତନରୁ କ୍ଷୀର ଖାଉଥାନ୍ତା ଝିଅ । ସେହି ସମୟରେ କୁକୁର ତାକୁ ଝୁଣି ଖାଉଥିଲା । କୁନି ଝିଅକୁ ଝୁଣି ଅଧାମଲା କରି ଦେଇଥିଲା ବୁଲା କୁକୁର । ହେଲେ ସେଦିନ ମୃତ୍ୟୁକୁ ପରିହାସ କରି ଅପରିଚିତା ପାଲଟିଥିଲା ଅପରାଜିତା । ଖୋଳି ହୋଇଯାଇଥିଲା ଗୋଟିଏ ଆଖି । ମୁହଁର ୬୦ ପ୍ରତିଶତ ନଷ୍ଟ ହେବା ପରେ ଆହୁରି ଅଚିହ୍ନା ହୋଇଯାଇଥିଲା କଅଁଳା ଝିଅ । ଦୁଇ ମାସର ଚିକିତ୍ସା ପରେ ସୁସ୍ଥ ହୋଇ ବସୁନ୍ଧରାରେ ବଢୁଥିଲା ଲିଲିୟାନା । ଜନ୍ମକଲା ମାଆ ସିନା ତାକୁ ଦୁନିଆର ଆଲୋକ ଦେଖାଇବାକୁ ଚାହିଁ ନଥିଲା, ହେଲେ ସେ କିନ୍ତୁ ହାରି ନଥିଲା ପରିସ୍ଥିତି ପାଖରେ । ଆଉ ଏବେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରରେ ଜୀବନର ଦ୍ବିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ଲିଲିୟାନା ।