ପୂର୍ଣ୍ଣିମା ଜହ୍ନ ସର୍ବଦା ସୁନ୍ଦର । ଏକ ଭିନ୍ନ ରଙ୍ଗରେ ଆଜି ଝଲସିବ ଆକାଶ । ସ୍ନାନ ପୂର୍ଣ୍ଣିମାରେ ଆକାଶରେ ନୂଆ ଶଶି ଦିଶିବ । ଆକାଶରେ ସବୁଠୁ ରହସ୍ୟମୟୀ ଏବଂ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିବ । ପୂର୍ଣ୍ଣିମା ରାତିରେ ଷ୍ଟ୍ରବେରୀ ଚନ୍ଦ୍ର ହେବ ଦୃଶ୍ୟମାନ । ତେବେ ସୂଚାଇ ଦେଉଛୁ ଯେ, ଏହା ମାଇକ୍ରୋ ମୁନ୍ ମଧ୍ୟ ହେବ । ଯାହା ପୃଥିବୀଠାରୁ ଟିକେ ଦୂରରେ ଥିବାରୁ ସାଧାରଣ ଅପେକ୍ଷା ଟିକେ ଛୋଟ ଏବଂ ଅସ୍ପଷ୍ଟ ଦେଖାଯିବ ।
ଷ୍ଟ୍ରବେରୀ ଚନ୍ଦ୍ର କେବଳ ଏହାର ନାମ କିମ୍ବା ରଙ୍ଗ ପାଇଁ ନୁହେଁ । ବରଂ ଏହାର ‘ମାଇକ୍ରୋ ମୁନ୍’ ଏବଂ ‘ମେଜର ଲୁନାର ଷ୍ଟାଣ୍ଡଷ୍ଟିଲ୍’ ପାଇଁ ମଧ୍ୟ ବହୁତ ସ୍ୱତନ୍ତ୍ର । ଏହାର ରଙ୍ଗ ଷ୍ଟ୍ରବେରୀ ପରି ନ ହେଲେ ସୁଦ୍ଧା ଏହାର ନାମ ଆମେରିକୀୟ ଆଦିବାସୀ ପରମ୍ପରା ସହ ଜଡ଼ିତ । ଜୁନ୍ ମାସରେ ପୂର୍ଣ୍ଣିମା ପରେ ସେଠାରେ ଷ୍ଟ୍ରବେରୀ ଅମଳ ଆରମ୍ଭ ହେଉଥିଲା । ସେଥିପାଇଁ ଏହି ଦିନ ଆସୁଥିବା ଜହ୍ନର ରଙ୍ଗ ଦେଖି ତାହାର ନାମକରଣ କରାଯାଇଛି । ଏହି ବର୍ଷ ଚନ୍ଦ୍ର ପୃଥିବୀଠୁ ସବୁଠାରୁ ଦୂରରେ ରହିବ , ଯାହା ଯୋଗୁଁ ଏହା ସାଧାରଣ ଅପେକ୍ଷା ଛୋଟ ଏବଂ ନିମ୍ନ ଦେଖାଯିବ । ଏହି ଦିନ ପ୍ରତି ୧୮.୬ ବର୍ଷରେ ଥରେ ଆସେ ଅର୍ଥାତ୍ ଏହା ପରେ ପୁଣି ଏପରି ଚନ୍ଦ୍ର ୨୦୩୩ରେ ଦେଖାଯିବ । ଏହି ସୁଯୋଗ ସମସ୍ତଙ୍କ ପାଇଁ ଏକ ନିଆରା ଅଭିଜ୍ଞତା ହୋଇପାରେ ।
ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଆଜି ଚନ୍ଦ୍ରଙ୍କ ଆଲୋକରେ ଏକ ସୁନେଲି ଉଷ୍ମ ଆଭା ଦେଖିବାକୁ ମିଳିବ । ଭାରତରେ ଜୁନ୍ ୧୧ ସନ୍ଧ୍ୟାରେ ସୂର୍ୟ୍ୟାସ୍ତ ପରେ ଦକ୍ଷିଣ-ପୂର୍ବ ଦିଗରେ ଷ୍ଟ୍ରବେରୀ ଚନ୍ଦ୍ର ଦେଖାଯିବ । ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବେଙ୍ଗାଲୁରୁ ଭଳି ସହରରେ ସନ୍ଧ୍ୟା ୭ଟା ପରେ ଏହି ଦୃଶ୍ୟ ଦୃଶ୍ୟମାନ ହେବ ।