ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ଥାନା ଅନ୍ତର୍ଗତ କେଶାମ୍ ଗ୍ରାମର ଆଦିବାସୀ ସମ୍ପ୍ରଦାୟ ହୋ ସମାଜର ପିଙ୍କି ଜାମୁଦା(୩୬) ନାମ୍ନୀ ଜନୈକା ମହିଳା ଡାକ୍ତରୀ ରିପୋର୍ଟ ଅନୁଯାୟୀ କିଡନୀ ରୋଗରେ ପୀଡିତ ଥିଲେ l ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରୀ ଚିକିତ୍ସା ହେଉଥିଲେ। ତିନୋଟି ସନ୍ତାନର ଜନନୀ ତାଙ୍କ ସ୍ବାମୀଙ୍କର ଦୁଇ ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଥିଲା ।
ମହିଳାଙ୍କ ସ୍ବାସ୍ଥ୍ୟ ବିଗିଡି ଯାଉଥିବା ଦେଖି ପ୍ରାୟ ସପ୍ତାହକ ପୂର୍ବରୁ ନିର୍ଦ୍ଦିଷ୍ଟ ଭିନ୍ନ ଧର୍ମର ପ୍ରଚାରକମାନେ ଆସି ମହିଳାଙ୍କୁ ଆଦିବାସୀ ପରିତ୍ୟାଗ କରି ଧର୍ମାନ୍ତରୀଣ ହେଲେ ତାଙ୍କରି ଦେହ ସୁସ୍ଥ ହୋଇଯିବ ବୋଲି ଆଶ୍ଵାସନା ଦେଇଥିଲେ l ଏହାପରେ ମହିଳା ଜଣକ ତାଙ୍କରି କଥାରେ ପଡ଼ି ଡାକ୍ତରୀ ଔଷଧ ବ୍ୟବହାର ଛାଡ଼ି ସକାଳେ, ସନ୍ଧ୍ୟାରେ ପ୍ରାର୍ଥନା, ପୂଜାର୍ଚ୍ଚନା କରିବାକୁ ଲାଗିଲେ l ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେଉଥିବାରୁ ତାଙ୍କୁ ଭିନ୍ନ ଧର୍ମର ଜଣେ ଲୋକଙ୍କ ଘରେ ରଖା ଯାଇଥିଲା। ଏହା ସତ୍ତ୍ୱେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ମହିଳାଙ୍କୁ ଶୁକ୍ରବାର ସକାଳେ ନିକଟସ୍ଥ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ତାଙ୍କରି ନବମ ଶ୍ରେଣୀରେ ପଢ଼ୁଥୁବା ନାବାଳିକା ଝିଅ ସୀତା ଜାମୁଦା । ଏହାପରେ ସେଠାରୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଭିନ୍ନ ଧର୍ମର ଲୋକମାନେ ପହଞ୍ଚିଥିଲେ l ସେଠୀରୁ ବାରିପଦାକୁ ସ୍ଥାନାନ୍ତର ସମୟରେ ସେମାନେ ସେଠାରୁ ଚାଲି ଯାଇଥିଲେ । ବାରିପଦାରେ ପହଁଚିଲା ବେଳକୁ ପିଙ୍କି ଜାମୁଦାଙ୍କର ମୃତ୍ୟୁ ହୋଇ ସାରିଥିଲା ।
ଝିଅ ସୀତା ଜାମୁଦାଙ୍କ ପାଖରେ ମା ଙ୍କୁ ଚିକିତ୍ସା କରାଇବା ପାଇଁ ୭୦୦ ଟଙ୍କା ନେଇଥିଲେ । ମାଙ୍କ ମୃତ୍ୟୁ ପରେ ରାତି ହେବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିଲା ନାହିଁ l ଝିଅ ସୀତା ଜାମୁଦା ଫୋନ୍ ମାଧ୍ୟମରେ ସମ୍ପର୍କୀୟ ଲୋକଙ୍କୁ କାନ୍ଦି କାନ୍ଦି ଯୋଗାଯୋଗ କରୁଥାଏ । ଏତିକି ବେଳେ ମନେ ପଡିଲା ତାଙ୍କର ପଡୋଶୀ ସମ୍ପର୍କୀୟ କକା ସୁନୀଲ ଜାମୁଦା ଦିଲ୍ଲୀ ରାଷ୍ଟ୍ରପତି ଭବନରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଫୋନ୍ ମାଧ୍ୟମରେ ଦୁଃଖ ଜଣାଇବାରୁ ସୁନୀଲ ଜାମୁଦା ବାରିପଦା ଶାଖା ସିଦାହରା ସୁସାର୍ ଆକାଳାର ସଦସ୍ୟ ଟିଟୋ ହେମ୍ବ୍ରମଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଖବର ପାଇ ତା’ ପରଦିନ ଶନିବାର ସକାଳୁ ଟିଟୋ ହେମ୍ବ୍ରମ ପହଂଚି ଶବ ବ୍ୟବଚ୍ଛେଦ କରାଇଥିଲେ l ଏହାପରେ ଶବକୁ ଅନ୍ତିମ ସଂସ୍କାର ପାଇଁ ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲେ l
ଶବଟି ଗାଁ କୁ ପହଁଚିଲା ପରେ ହୋ ସମାଜ ଏବଂ ହୋ ସମାଜର ଧର୍ମାନ୍ତରିତ ଲୋକଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଦିଲ୍ଲୀରୁ ସୁନୀଲ ଜାମୁଦା ଫୋନ୍ ମାଧ୍ୟମରେ ଗାଁର ଲୋକମାନଙ୍କୁ ଭାଇଚାରା ବଜାୟ ରଖିବା ପାଇଁ ଅନୁରୋଧ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦର ଅବସାନ ଘଟିଥିଲା l ଶେଷରେ ରାଷ୍ଟ୍ରପତି ଭବନର ସୁରକ୍ଷା ଯବାନ ସୁନୀଲଙ୍କ ଅନୁରୋଧ କ୍ରମେ ମୃତ ମହିଳାଙ୍କ ଶବ ସତ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା l ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ରୋଗବେମାରରୁ ଆରୋଗ୍ୟ କରାଇବାର ପ୍ରଲୋଭନ ଦେଖାଇ ନିରୀହ ଆଦିବାସୀମାନଙ୍କୁ ନିର୍ଦ୍ଧିଷ୍ଟ ଧର୍ମର ଲୋକମାନେ ଧର୍ମାନ୍ତରୀଣ କରିଥାନ୍ତି l ଯାହା ଫଳରେ ଆଦିବାସୀମାନେ ତାଙ୍କରି କଥାରେ ପଡ଼ି ପୂଜାର୍ଚ୍ଚନାରେ ବିଶ୍ୱାସ କରି ଅନେକ ଅକାଳ ମୃତ୍ୟୁର ଶିକାର ହୋଇଥାନ୍ତି l ଆଦିବାସୀମାନଙ୍କୁ ନିର୍ଦ୍ଦିଷ୍ଟ ଧର୍ମାବଲମ୍ବୀର ଧର୍ମ ପ୍ରଚାରକମାନଙ୍କ ଦ୍ୱାରା ବେଆଇନ ଧର୍ମାନ୍ତରୀଣକୁ ରୋକିବା ପାଇଁ କଡା ପଦକ୍ଷେପ ନେବା ପାଇଁ ହୋ ସମାଜର ବିଶିଷ୍ଟ ସାମାଜିକ କର୍ମୀ ମନୋରଞ୍ଜନ ତିରିଆ ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।