‘ଆଡିଡାସ’ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନୂଆ ଜର୍ସି ପ୍ରଦର୍ଶିତ କରାଯାଇଛି

0

ଦିନିକିଆ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ନୂତନ ଜର୍ସି ଉନ୍ମୋଚନ କରାଯାଇଛି । ‘ଆଡିଡାସ’ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନୂଆ ଜର୍ସି ପ୍ରଦର୍ଶିତ କରାଯାଇଛି । ଏହି ଅବସରରେ ଭାରତୀୟ ଦଳ ପାଇଁ ଏକ ସୁନ୍ଦର ସଙ୍ଗୀତ ମଧ୍ୟ ପ୍ରସ୍ତୁତ କରାଯାଇଛି ।

‘ଇମ୍ପସିବଲ ନେହିଁ ହୈ ସପନା.. ତିନ କା ଡ୍ରିମ୍‌.. ହୈ ଅପନା…’ । ଲୋକପ୍ରିୟ ରାପର ରଫତାର୍‌ ଏହି ଗୀତ ରଚନା ଓ କଣ୍ଠଦାନ କରିଛନ୍ତି । ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ଭାରତୀୟ ଦଳର ଜର୍ସିରେ ଆଡିଡାସର ପାରମ୍ପରିକ ଲୋଗୋର ରଙ୍ଗ ପରିବର୍ତ୍ତନ କରାଯାଇଛି । ଜର୍ସିର କାନ୍ଧରେ ରହିଥିବା ୩ଟି ଲମ୍ବା ଲାଇନକୁ ଜାତୀୟ ପତାକାର ରଙ୍ଗ ଦିଆଯାଇଛି । ପୂର୍ବ ଜର୍ସିରେ ଏହି ୩ ଲାଇନ ଧଳା ରଙ୍ଗର ରହିଥିଲା । ଜସିର କଲାର୍‌ରେ ମଧ୍ୟ ନାରଙ୍ଗି ରଙ୍ଗ ରହିଛି ।

ବିସିସିଆଇ ପକ୍ଷରୁ ଅଫିସିଆଲ ସୋସିଆଲ୍‌ ମିଡ଼ିଆ ପୃଷ୍ଠାରେ ଟିମ୍‌ ଇଣ୍ଡିଆ ଜର୍ସି ଉନ୍ମୋଚନର ଭିଡ଼ିଓ ଅପ୍‌ଲୋଡ କରାଯାଇଛି । ଏହି ଭିଡ଼ିଓରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ଷ୍ଟାର୍‌ ଖେଳାଳି ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ୍‌ ପ୍ରମୁଖ ରହିଛନ୍ତି । ଅଫିସିଆଲ ଜର୍ସି ପ୍ରୟୋଜକ ‘ଆଡିଡାସ୍‌’ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଭିଡ଼ିଓରେ ଭାରତର ତୃତୀୟ ବିଶ୍ୱକପ୍‌ ସ୍ୱପ୍ନ ବିଷୟରେ ଅବଲୋକନ କରାଯାଇଛି ।

୧୯୮୩ ଓ ୨୦୧୧ରେ ଭାରତ ଦିନିକିଆ ବିଶ୍ୱକପ୍‌ ଜିତିଥିଲା । ଏଥର ତୃତୀୟ ବିଶ୍ୱକପ୍‌ ଜିତିବା ପାଇଁ ଦଳ ନିକଟରେ ସୁଯୋଗ ରହିଛି । ଅକ୍ଟୋବର ୬ ତାରିଖରେ ଭାରତୀୟ ଦଳ ଏହି ଜର୍ସି ପରିଧାନ କରି ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଶ୍ୱକପ୍‌ର ପ୍ରଥମ ଲିଗ୍‌ ମ୍ୟାଚ୍‌ ଖେଳିବ । ଚେନ୍ନାଇର ଚିପକ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ ।