ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନ ପକ୍ଷରୁ ଭର୍ଚୁଆଲ୍ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ

0

ବ୍ୟୁରୋ: ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନ ପକ୍ଷରୁ ଭର୍ଚୁଆଲ୍ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ନଦୀଗୁଡ଼ିକର ସୁରକ୍ଷା, ସଂରକ୍ଷଣ ଓ ପୁନଃଜୀବନ ପାଇଁ ଏକ ଜାତୀୟ ଅଭିଯାନ ଆରମ୍ଭ ହୋଇଛି । ଯାହାକି ଡିସେମ୍ବର ୧୦ ବିଶ୍ୱ ମାନବିକ ଅଧିକାର ଦିବସ ପର୍ଯ୍ୟନ୍ତ ଚାଲିବ। ସାରା ଦେଶରେ ସଭା, ସମିତି, ପ୍ରଦର୍ଶନ, ନଦୀକୂଳରେ ପଦଯାତ୍ରା, ଜଳ ଶପଥ ଓ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ ପରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଅଭିଯାନର ଜାତୀୟ ଆବାହକ ସୁଦର୍ଶନ ଛୋଟରାୟ, ଛତିଶଗଡ଼ର ଗଣେଶ କୁସ୍ୱାହା, ପଶ୍ଚିମବଙ୍ଗର ତାପସ ଦାସ, ବିହାରର ସୁମିତ୍ ପ୍ରକାଶ, ଝାଡ଼ଖଣ୍ଡର ପ୍ରୀତିରଞ୍ଜନ ଓ ମାସି ଜମା, ତେଲେଙ୍ଗାନାର ସିଏଚ୍ ନରେନ୍ଦ୍ର, ଆନ୍ଧ୍ର ପ୍ରଦେଶର ଜି. ରାଣୀ, ଦିଲ୍ଲୀର ଗୋପାଳ ମିଶ୍ର, ମହାରାଷ୍ଟ୍ରର ଅପେକ୍ଷା ବାସୁଦେବ ପ୍ରମୁଖ କହିଛନ୍ତି। ତେବେ ଦେଶରେ ନଦୀଗୁଡ଼ିକର ମୃତ୍ୟୁ ହେଉଥିବାରୁ ଏଥିରେ ଭାଗ ନେଇଥିବା ବକ୍ତାମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଶିଳ୍ପ ଭିତ୍ତିଭୂମି ଓ ବିକାଶ ନାମରେ ନଦୀଗୁଡ଼ିକର ପ୍ରାକୃତିକ ପ୍ରବାହକୁ ରୋକିବା, ନଦୀ ଜଳକୁ ବ୍ୟବସାୟିକ ସ୍ୱାର୍ଥରେ ଲଗାଇବା, ସହରଗୁଡ଼ିକର ଆବର୍ଜନା, ପ୍ଲାଷ୍ଟିକ ଆଦି ସାମଗ୍ରୀ ନଦୀ ଗର୍ଭକୁ ଛଡ଼ା ଯାଉଥିବାରୁ ନଦୀ ଜଳ ମଣିଷ ଓ ଜୀବଜନ୍ତୁଙ୍କ ବ୍ୟବହାର ଯୋଗ୍ୟ ହୋଇପାରୁନି ।
ମହାନଦୀ ଜଳ ବଣ୍ଟନ ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଲାଗିରହିଥିବା ବିବାଦ ବେଳେ ମହାନଦୀ ଟ୍ରିବୁନାଲରୁ ତୁରନ୍ତ ନ୍ୟାୟ ମିଳିବା ସମ୍ଭାବନା କମ୍ ରହିଛି। ଚାଷୀ, ମତ୍ସ୍ୟଜୀବୀ ଓ କାରିଗରଙ୍କ ସ୍ୱାର୍ଥ ଦୁଷ୍ଟିରୁ ମହାନଦୀ ଅବବାହିକାରେ ଜୈବ ବିବିଧତା, ପ୍ରାକୃତିକ ସମ୍ପଦ ସୁରକ୍ଷା, ଜୀବଜନ୍ତୁଙ୍କ ବଂଶ ରକ୍ଷା ପାଇଁ ୫ ବର୍ଷ ମଧ୍ୟରେ ଟ୍ରିବୁନାଲର ପ୍ରାଥମିକ ଅନୁସନ୍ଧାନ ଓ ତଥ୍ୟ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ସାରିଥିବାରୁ ଏକ ମଧ୍ୟବର୍ତ୍ତୀକାଳୀନ ରାୟ ତୁରନ୍ତ ଜାରି କରିବାକୁ ଅଭିଯାନ ପକ୍ଷରୁ ଦାବି କରାଯାଇଛି।