ଚଳଚଞ୍ଚଳ ରାଜଧାନୀରେ ଖୋଜା ପଡିଥିଲା ବାଘ ହେଲେ ମିଳିଲା ବଣଭୂଆ

0

ବ୍ୟୁରୋ : ବାଘ ଖୋଜୁଥିଲେ ମିଳିଲା ବଣଭୂଆ । ଭୁବନେଶ୍ୱର ବିମାନ ବନ୍ଦରରେ ବାଘ ଆତଙ୍କ ଖେଳାଉଥିବା ଖବର ପ୍ରସାରିତ ହେବା ପରେ ବନ ବିଭାଗ ତତ୍ପର ହୋଇ ଉଠିଥିଲା । ହେଲେ ତାହା ବାଘ ନୁହଁ, ବଣଭୂଆ ବୋଲି ଜଣାପଡ଼ିଛି । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହା ବଣଭୂଆ ବୋଲି ସ୍ପଷ୍ଟ ହୋଇଛି। ଏହାର ଉଚ୍ଚତା ଦେଢ ଫୁଟ ଓ ତିନି ଫୁଟ ଲମ୍ବା ବୋଲି ଅନୁମାନ କରାଯାଉଛି ।

ପ୍ରକାଶ ଥାଉ କି, ବିମାନ ବନ୍ଦର ଡମ୍ପିଂୟାର୍ଡ ପରିସରରେ ଏକ କଲରାପତରିଆ ବାଘ ବୁଲୁଥିବା ଖବର ପ୍ରଚାର ହୋଇଥିଲା । ଖବର ଦେଖିବା ପରେ ବନ ବିଭାଗ କର୍ମଚାରୀ ଦିନ ସାରା ସଂପୃକ୍ତ ଅଞ୍ଚଳରେ ଛାନ୍ଭିନ୍ କରିଥିଲେ । ଜନ୍ତାରେ କୁକୁଡ଼ା ବାନ୍ଧି କଲରାପତରିଆକୁ ଧରିବାକୁ ବନ ବିଭାଗ ଉଦ୍ୟମ କରିଥିଲା । ଜାଲ ବସାଇ ଗଛ ଉପରେ ମଧ୍ୟ ଲୋକ ବସି ରହିଥିଲେ । ଜନ୍ତା ପାଖରେ ନନ୍ଦନକାନନରୁ ଅଣାଯାଇଥିବା ୪ଟି କ୍ୟାମେରା ମଧ୍ୟ ଖଞ୍ଜା ଯାଇଥିଲା । ସନ୍ଧ୍ୟାରେ ଜନ୍ତା ପାଖରେ ପକାଯାଇଥିବା ମାଂସଖଣ୍ଡ ଗୁଡ଼ିକୁ କୌଣସି ଜନ୍ତୁ ଖାଇନଥିଲେ । କିନ୍ତୁ ରାତି ୨ଟା ବେଳେ ଗୋଟିଏ ବଣଭୂଆ ଧାଇଁ ପଳାଇଥିଲା ।