ହାଇଦ୍ରାବାଦ: ଟଙ୍କା ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ପ୍ରେମିକ ସହ ମିଶି ସ୍ୱାମୀକୁ ତଣ୍ଟି ଚିପି ହତ୍ୟା କରିଥିଲା । ଯେପରି ଧରାନପଡିବେ ସେଥିପାଇଁ ମୃତ ଶରୀରକୁ ୮୦୦ କିଲୋମିଟର ଦୂର ଏକ ଅଞ୍ଚଳରେ ନେଇ ପୋଡିଦେଇଥିଲେ । ପରେ ସ୍ୱାମୀ ନିଖୋଜ ଥିବା ନେଇ ଥାନାରେ ଏଫଆଇଆର ଦେଇଥିଲା ପତ୍ନୀ । ହେଲେ ବେଙ୍ଗାଳୁରୁ ପୁଲିସ ତଦନ୍ତ କରିବା ସହ ଘଟଣାର ପର୍ଦ୍ଦାଫାସ କରିଛି । ହାଇଦ୍ରାବାଦରେ ହତ୍ୟା ପରେ ବେଙ୍ଗାଳୁରରେ ମୃତ ଦେହକୁ ପକାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ନିହାରିକା ହେଉଛନ୍ତି ବ୍ୟବସାୟୀ ରମେଶଙ୍କର ଦ୍ୱିତୀୟ ପତ୍ନୀ। ରମେଶ ତାଙ୍କୁ ଖୁବ ଭଲ ପାଉଥିଲେ। ଏପରିକି ତାଙ୍କୁ ପୁରା ୟସ ଆରାମରେ ରଖୁଥିଲେ। ତେବେ ଦିନକୁ ଦିନ ତାଙ୍କର ଡିମାଣ୍ଡ ବଢ଼ି ଚାଲିଛି। ଶେଷରେ ନିହାରିକା ରମେଶଙ୍କଠାରୁ ୮ କୋଟି ଟଙ୍କା ମାଗିଥିଲେ। କିନ୍ତୁ ସେ ଦେବାକୁ ମନା କରିଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାଗିଯାଇ ଅକ୍ଟୋବର ୧ ତାରିଖରେ ନିହାରିକା ନିଜ ପ୍ରେମୀ ତଥା ପଶୁ ଡାକ୍ତର ନିଖିଲ ଓ ତାଙ୍କ ସାଥୀ ଅଙ୍କୁର ରାଣାଙ୍କ ସହ ମିଶି ସ୍ୱାମୀ ରମେଶଙ୍କୁ ହତ୍ୟା କରିଥିଲେ। ଏହା ପରେ ତିନିଜଣ ମୃତଦେହକୁ କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ଏକ କଫି ବଗିଚାକୁ ନେଇଥିଲେ। ସେଠାରେ ଶବକୁ ପ୍ରଥମେ ଏକ କମ୍ବଳରେ ଘୋଡାଇ ଦେଇଥିଲେ। ପ୍ରମାଣ ନଷ୍ଟ କରିବାକୁ ଯାଇ ମୃତଦେହରେ ନିଆଁ ଲଗାଇ ଦେଇଥିଲେ।
ଏହାପରେ ଅକ୍ଟୋବର ୮ ତାରିଖରେ କଫି ବଗିଚାର କର୍ମଚାରୀମାନେ ଦରପୋଡା ଶବକୁ ଦେଖି ପୁଲିସକୁ ଖବର ଦେଇଥିଲେ। କର୍ଣ୍ଣାଟକ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂରା ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ୪ଟି ସ୍ୱତନ୍ତ୍ର ଟିମ୍ର ୧୬ ଜଣ ପୁଲିସ ଅଧିକାରୀ ଏହି ଘଟଣାର ଅନୁସନ୍ଧାନ କରିଥିଲେ। ପରେ ସିସିଟିଭି ଫୁଟେଜରୁ ନିହାରିକା ଏବଂ ତାଙ୍କ ସାଥୀମାନେ ରମେଶଙ୍କ ନାମରେ ପଞ୍ଜୀକୃତ କାରରେ ଉକ୍ତ ସ୍ଥାନକୁ ଯାଇଥିବା ନେଇ ଜଣାପଡିଥିଲା। କର୍ଣ୍ଣାଟକ ପୁଲିସ ତେଲେଙ୍ଗାନା ପୁଲିସ ସହ ଯୋଗାଯୋଗ କରିଥିଲା। ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପରେ କର୍ଣ୍ଣାଟକ ପୁଲିସ ନିହାରିକାଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ଏହି ହତ୍ୟାକାଣ୍ଡ ଘଟାଇଥିବା ନେଇ ସ୍ୱୀକାର କରିଛନ୍ତି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।