ପାରାଳାଖେମୁଣ୍ଡି: ପାରଳାଖେମୁଣ୍ଡି ନଟରାଜ ହଲ ନିକଟରେ ଏକ ଭଡା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଶୁଖିଲା ରକ୍ତସ୍ରାବରେ ପଡିଛି ମୃତଦେହ । ମୃତ ଯୁବକ ହେଲେ ଗୁଣପୁର ନିକଟସ୍ଥ ମାଛଖୁଣ୍ଟି ଗାଁର ଏମ. ଜଗଦୀଶ ବୋଲି ଜଣାପଡିଛି । ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ଜଗଦୀଶଙ୍କ ପରିବାର ଲୋକେ । ସେପଟେ ଜଗଦୀଣଙ୍କ ସ୍ତ୍ରୀଙ୍କ ପତ୍ତା ପାଉନି ପୋଲିସ । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ।ସୂଚନାନୁଯାୟୀ, ପାରଳାଖେମୁଣ୍ଡି ନଗରମପଲ୍ଲୀ ସାହିର ଏକ ଭଡାଘରେ ମାଛଖୁଣ୍ଟି ଗ୍ରାମର ଜଗଦିଶ ମେଲକା ଓ ତାଙ୍କ ସ୍ତ୍ରୀ ହାରି ରଈତ ତିନି ମାସ ହେଲା ରହିଆସୁଥିଲେ। ଗତକାଲି ରାତିରେ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଗଦିଶଙ୍କ ଶବ ଉଦ୍ଧାର କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରୁଛି। ଜଗଦିଶଙ୍କ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ସେପଟେ ଜଗଦିଶଙ୍କ ସ୍ତ୍ରୀ ଫେରାର୍ ହୋଇଯାଇଛନ୍ତି। ଜଗଦିଶଙ୍କ ପରିବାର ଲୋକେ ଗତ ଦୁଇଦିନ ଧରି ଲଗାତାର ଫୋନ କରୁଛନ୍ତି। ହେଲେ ରଈତ କୌଣସି ଉତ୍ତର ଦେଉନାହାଁନ୍ତି। ତେଣୁ ଜଗଦିଶଙ୍କ ପରିବାର ଲୋକେ ରଈତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। କାରଣ ବାହାଘର ପରଠାରୁ ରଈତି ଜଗଦୀଶଙ୍କ ପରିବାର ଲୋକଙ୍କ ସହ ସବୁବେଳେ ଝଗଡା କରି ଆସୁଥିଲେ। ଶେଷରେ ସ୍ୱାମୀ ସ୍ତ୍ରୀ ପାରଳାଖେମୁଣ୍ଡି ଆସି ୩ ମାସ ହେଲା ରହୁଥିଲେ। ତଥାପି ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ତେବେ ଘଟଣାର ତଦନ୍ତ କରୁଛି ପୋଲିସ ।