ଶ୍ରୀନଗର-: ୱାକଫ୍ ଆଇନକୁ ନେଇ ଆଜି ମଧ୍ୟ ତୃତୀୟ ଦିନରେ ଜମ୍ମୁ କାଶ୍ମୀର ବିଧାନସଭା ପରିସରରେ ସଦସ୍ୟଙ୍କ ଭିତରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ଠେଲାପେଲା ପାଟିତୁଣ୍ଡ ସହ ମୁଥ ମରାମରି ହୋଇ ରଣକ୍ଷେତ୍ର ପାଲଟିଲା ବିଧାନସଭା ପରିସର । ତେବେ ୱାକଫ୍ ଆଇନ ଉପରେ ଗୃହରେ ଆଲୋଚନା ଦାବି ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।
ଆଜି ଜମ୍ମୁ-କାଶ୍ମୀର ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗୃହରେ ସ୍ଲୋଗାନ ଦେଇ ଆରମ୍ଭ ହୋଇଥିବା ହଟ୍ଟଗୋଳ ଶୀଘ୍ର ପରସ୍ପର ହାତାହାତିରେ ପରିଣତ ହୋଇଥିଲା । ଗୃହ ଭିତରେ ଆମ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ବିଧାୟକମାନେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଉଭୟ ଦଳର ବିଧାୟକମାନେ ପରସ୍ପର ବିରୁଦ୍ଧରେ ସ୍ଲୋଗାନ ଦେଉଥିବା ମଧ୍ୟ ଦେଖାଯାଇଥିଲା । ମାମଲା ଏତେ ଖରାପ ହୋଇଗଲା ଯେ ଏନସି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ୱାକଫ ଆଇନ ଉପରେ ଆଲୋଚନା କରିବାକୁ ଦାବି କଲେ । ଗୃହ ଆରମ୍ଭ ହେବା ମାତ୍ରେ, ନାଜିର ଗୁରେଜି ଏବଂ ତନବୀର ସାଦିକଙ୍କ ନେତୃତ୍ୱରେ ନ୍ୟାସନାଲ କନଫରେନ୍ସ ସଦସ୍ୟମାନେ ୱାକଫ ଆଇନ ଉପରେ ଆଲୋଚନା ପାଇଁ ପ୍ରଶ୍ନକାଳକୁ ସ୍ଥଗିତ ରଖିବା ପାଇଁ ଏକ ପ୍ରସ୍ତାବ ଆଗତ କଲେ । ନ୍ୟାସନାଲ କନଫରେନ୍ସ, କଂଗ୍ରେସ ଏବଂ କିଛି ସ୍ୱାଧୀନ ବିଧାୟକଙ୍କ ସମେତ ମୋଟ ନଅ ଜଣ ସଦସ୍ୟ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କୁ ନୋଟିସ ଦେଇଥିଲେ ।
ଏହି ପ୍ରସ୍ତାବକୁ ଭାରତୀୟ ଜନତା ପାର୍ଟି ବିରୋଧ କରିଥିଲା । ଗୃହର ନେତା ସୁନୀଲ ଶର୍ମାଙ୍କ ନେତୃତ୍ୱରେ ବିଜେପି ସଦସ୍ୟମାନେ ଏହାର ପ୍ରତିବାଦ କରିଥିଲେ, ଯାହା ଫଳରେ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା ଏବଂ ଦୁଇ ମିନିଟରୁ ଅଧିକ ସମୟ ଧରି ଜାରି ରହିଥିଲା । ବାଚସ୍ପତି ରାଠର, ଗୃହର ନିୟମ ୫୮ ଉଦ୍ଧୃତ କରି କହିଛନ୍ତି ଯେ ମାମଲା ବର୍ତ୍ତମାନ ବିଚାରାଧୀନ ଅଛି । ତେଣୁ ପ୍ରଶ୍ନକାଳକୁ ସ୍ଥଗିତ ରଖି ଏହା ଉପରେ ଆଲୋଚନା କରାଯାଇପାରିବ ନାହିଁ ମୁଁ ଗୃହରେ ମୁଲତବୀ ଅନୁମତି ଦେଇପାରିବି ନାହିଁ ।