(ଆଦର୍ଶ ରାଉତ): ଓଡିଶାର ସଂସ୍କୃତି, ଐତିହ୍ୟ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଗୃହ କମିଟିରେ ହାଜର ହୋଇ ନାହାନ୍ତି । ଅଭିଜିତଙ୍କୁ ଜାରି କରାଯାଇଥିବା ସ୍ୱାଧିକାର ଭଂଗ ମାମଲାରେ କମିଟିରେ ହାଜର ହେବା ପାଇଁ ଆଉ ଏକ ତାରିଖ ପ୍ରଦାନ କରାଯାଇଛି । ଅକ୍ଟୋବର ୨୩ ତାରିଖ ସକାଳ ୧୧ଟା ସମୟରେ ହାଜର ହେବା ପାଇଁ କମିଟି ନିଷ୍ପତି ନେଇଛି । ଆଜି ବସିଥିବା ଗୃହ କମିଟି ବୈଠକ ପରେ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଅଭିଜିତ ଗୋଟିଏ ମେଲ କରି ଆଜି ଉପସ୍ଥିତ ହେବେ ଜଣାଇଥିଲେ । ପରେ ଆଉ ଏକ ମେଲରେ ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି । ସେ ଅକ୍ଷମଣୀୟ ଭୁଲ କରିଥିବା ସ୍ୱୀକାର କରିବା ସହ ତାଙ୍କୁ କ୍ଷମା ଦିଆଯାଉ ବୋଲି ନିବେଦନ କରିଛନ୍ତି । ଓଡିଶାରେ ବାତ୍ୟା ପ୍ରଚାର ହେତୁ ସେ ହୁଏତ ଆସି ପାରିନାହାନ୍ତି । ଏହା ସହ କମିଟି ଏହାକୁ ଅବମାନନା ବୋଲି ବିଚାର କରୁ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ଆସନ୍ତା ୨୩ ତାରିଖରେ ତାଙ୍କୁ ହାଜର ହେବା ପାଇଁ ଡିଜିପି ନୋଟିସ କରିବେ ବୋଲି କମିଟିରେ ସ୍ଥିର ହୋଇଛି । ତାସହ କହିଛନ୍ତି କି ଏମିତି ମେଲ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଦେଲେ ହେବନି ।