ବାଣପୁର/ସୁଧିର କୁମାର ପାତ୍ର: ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମ ହରିଜନ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ରବୀନ୍ଦ୍ର ନାୟକ ଏବଂ ତାଙ୍କ ସାନଭାଇ ଶ୍ୟାମ ନାୟକ ନିଜ ଘର ପିଣ୍ଢା ରେ ବସିଥିବା ବେଳେ ସେହି ଗ୍ରାମର ବସନ୍ତ ନାୟକ( କେଳୁ )ମଦ୍ୟପାନ କରି ମାତାଲ ଅବସ୍ଥାରେ ଏକ ଧାରୁଆ କାତି ଧରି ପ୍ରଥମେ ସାନଭାଇ ଶ୍ୟାମକୁ ଆକ୍ରମଣ କରି ପରେ ବଡଭାଇ ରବୀନ୍ଦ୍ର ନାୟକ ବେକକୁ ଲକ୍ଷକରି କାତିରେ ଆକ୍ରମଣ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ବର୍ଗ ଉଭୟଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ସାନଭାଇ ଶ୍ୟାମ ଗୁରୁତର ଭାବରେ ଆହତ ହୋଇ ଚିକିତ୍ସାତ ହେଉଛନ୍ତି । ମୃତକ ରବୀନ୍ଦ୍ର ନାୟକ ଆଇପିଓ ଭାବରେ ବାଣପୁର ବ୍ଲକରେ ବହୁଦିନ ଧରି କାର୍ୟ୍ୟ କରି ଅବସର ଗ୍ରହଣ କରିଥିଲେ । ମଦ ପାଇଁ ଜଣଙ୍କର ହତ୍ୟା ହୋଇଥିବାରୁ ବାଣପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯିବା ସହ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଡାକ୍ତରଖାନାରେ ପହଞ୍ଚି ରାତି ତମାମ ଅନୁସନ୍ଧାନ ଜାରି ରଖିଛି।