ପୁଲିସ ଗୁଳିରେ ୨ ଫେରାର ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗୁରୁତର

0

ଝାରସୁଗୁଡ଼ା-: ଝାରସୁଗୁଡ଼ାରେ ପୁଲିସର ଏନକାଉଣ୍ଟର। ପୁଲିସ ଗୁଳିରେ ୨ ଫେରାର ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଗୁରୁତର। ପୁଲିସକୁ ଧକ୍କା ଦେଇ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ପୁଲିସ ଗୁଳିରେ ଆହତ ହୋଇଛନ୍ତି ବେଲପାହାଡ଼ର ୨ ଅଭିଯୁକ୍ତ ଶେଖ୍ ଆଶିଷ(୨୨) ଓ ଅଭିଷେକ ବାରିକ(୩୦)। ଏହି ଘଟଣାରେ ଉଭୟ ଅଭିଯୁକ୍ତ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗୁରୁବାର ରାତିରେ ବେଲପାହାଡ ଥାନା ଅଂଚଳର ଜଣେ ନାବାଳିକା(୧୫)ଙ୍କୁ ୨ ଜଣ ଅଭିଯୁକ୍ତ ଘର ପାଖରୁ ଅପହରଣ କରି ନେଇ ନିକଟସ୍ଥ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ। ଏନେଇ ଥାନାରେ  ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଦ୍ଵୟକୁ ଗିରଫ କରିଥିଲା। ଏହି ଦୁଇ ଅଭିଯୁକ୍ତ ନାବାଳିକାଙ୍କ ପରିବାରକୁ ବି ବାରମ୍ବାର ହତ୍ୟା ଧମକ ଦେଉଥିଲେ। ଶନିବାର ସକାଳେ ସେମାନଙ୍କୁ କୋର୍ଟରେ ହାଜର କରିବାକୁ ନେବା ସମୟରେ ବେଲପାହାଡ଼-ଝାରସୁଗୁଡ଼ା ରାସ୍ତାରେ ଆମୋଧର ନିକଟରେ ଜଣେ ଅଭିଯୁକ୍ତ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ନେଇ ଗୁଳି ଫୁଟାଇ ଖସିବାକୁ ଉଦ୍ୟମ କରିଥିଲେ। ଫଳରେ ବାଧ୍ୟ ହୋଇ ପୁଲିସ ସେମାନଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲା। ଯେଉଁଥିରେ ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଥିଲା।