ଗରିବ ମହିଳାଙ୍କୁ ରୋଷେଇ ଘରୁ ଟେକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ଅଭିଯୋଗ

0

ବ୍ୟୁରୋ: ଗରିବ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ। ଏଭଳି ଘଟଣା ଘଟିଛି ବାଳକାଟି ଫାଣ୍ଡି ଅଞ୍ଚଳରେ । ଜଣେ ଗରିବ ମହିଳାଙ୍କୁ ରୋଷେଇ ଘରୁ ଟେକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଆଜି ବାଳକାଟି ଫାଣ୍ଡି ପୁଲିସ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ସୂଚନାନୁସାରେ ଅଭିଯୋଗକାରିଣୀ ଜଣେ ଦିନ ମଜୁରିଆ ଗରିବ ବିବାହିତା ମହିଳା। ବହୁ ଦିନ ହେଲା ତାଙ୍କ ଉପରେ ଅଭିଯୁକ୍ତ ରାବଣର ଲୋଲୁପ ଦୃଷ୍ଟି ପଡ଼ିଥିଲାବେଳେ ଅନେକ ସମୟରେ ସେ ତାଙ୍କୁ ପ୍ରେମ ନିବଦେନ କରି ହଇରାଣ କରୁଥିଲା। ମାତ୍ର ମହିଳାଜଣଙ୍କ ଏସବୁକୁ ପ୍ରତ୍ୟାଖାନ କରିଆସୁଥିଲେ। ୧୭ ତାରିଖ ରାତିରେ ମହିଳାଜଣଙ୍କ ଘରର ବାଡ଼ିପଟେ ଥିବା ଚାଳିଆରେ ରୋଷେଇ କରୁଥିବା ବେଳେ ଅନ୍ଧାରରେ ଛପିଛପି ଯାଇ ରାବଣ ମହିଳାଜଣଙ୍କୁ ଅନ୍ଧାରିଆ ସ୍ଥାନକୁ ଉଠାଇନେବାକୁ ଉଦ୍ୟମ କରିଥିଲା। ମହିଳାଜଣଙ୍କ ବିକଳରେ ରାବଣ ହାତକୁ କାମୁଡ଼ି ପକାଇଥିଲେ। ତଥାପି ରାବଣ ତାଙ୍କୁ ଘୋଷାରି ଘୋଷାରି ନେଇଯିବାକୁ ଉଦ୍ୟମ କରିଥିଲା।
ମହିଳାଙ୍କ ଚିତ୍କାର ଶୁଣି ମହିଳାଙ୍କ ଶ୍ବଶୁର ଠେଙ୍ଗା ଧରି ବାଡ଼ିପଟକୁ ଧାଇଁ ଯାଇଥିଲେ। ଏହାଦେଖି ରାବଣ ମହିଳାଙ୍କୁ ଛାଡ଼ି ଅନ୍ଧାରରେ ଦୌଡ଼ି ଫେରାର୍ ହୋଇଯାଇଥିଲା। ଏନେଇ ମହିଳା ବାଳକାଟି ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଆଜି ବାଳକାଟି ଫାଣ୍ଡି ପୁଲିସ ରାବଣକୁ ଗିରିଫ କରି କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ଅଭିଯୁକ୍ତ ରାବଣକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।