ଭୁବନେଶ୍ଵର: ରାତି ପାହିଲେ ରଥରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ୩ ଠାକୁରଙ୍କୁ ୯ଟି ମାଟିହାଣ୍ଡିରେ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ଚତୁର୍ଦ୍ଧାମୂର୍ତିଙ୍କ ଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ହାଣ୍ଡିକୁ ଭଙ୍ଗାଯିବ । ଏଥିପାଇଁ ସ୍ୱତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଛି । ରଥାରୂଢ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ସ୍ବତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ। ତେବେ ପୂର୍ବରୁ ୧୨ ହାଣ୍ଡି ଅଧରପଣା ହେଉଥିବା ବେଳେ ଏବେ ୯ ହାଣ୍ଡି ହେଉଛି।
ଗବେଷକଙ୍କ କହିବା ଅନୁସାରେ, ପୂର୍ବେ ବାହୁଡ଼ା ଦଶମୀ ଦିନ ତିନିହାଣ୍ଡି, ଏକାଦଶୀ ତିଥିରେ ତିନିହାଣ୍ଡି, ଦ୍ୱାଦଶୀ ଦିନ ତିନିହାଣ୍ଡି ଏହିପରି ୯ ହାଣ୍ଡି ଓ ଶ୍ରୀବଳଭଦ୍ରଙ୍କ ରଥରେ ରାମ ଓ କୃଷ୍ଣଙ୍କ ଉଦ୍ଦେଶ୍ୟରେ ୨ ହାଣ୍ଡି (ସାନ) ଏବଂ ଶ୍ରୀଜଗନ୍ନାଥଙ୍କ ରଥରେ ମଦନମୋହନ ଠାକୁରଙ୍କ ପାଇଁ ୧ ହାଣ୍ଡି (ସାନ) କ୍ରମରେ ସମୁଦାୟ ୧୨ ହାଣ୍ଡି ଅଧରପଣା ଭୋଗ ହେଉଥିଲା। କିନ୍ତୁ ସମ୍ପ୍ରତି ତିନିରଥ ପାଇଁ କେବଳ ଗୋଟିଏ ଦିନରେ ସମୁଦାୟ ୯ ହାଣ୍ଡି ଅଧରପଣା ଭୋଗ ହେଉଛି। ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ୩ଟି ଲେଖାଏ ଅଧରହାଣ୍ଡି ଓ ପଣା ସାମଗ୍ରୀ ଯୋଗାଉଛନ୍ତି।
ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅଧରପଣା ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥାଏ। ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ଛେନା, ସର, କଦଳୀ, ଛାଚି, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ପ୍ରଭୃତି ପଣା ସାମଗ୍ରୀ ପାଳିଆ ମହାସୁଆର ରଥ ଉପରେ ରଖନ୍ତି। ପ୍ରତି ଠାକୁରଙ୍କ ସମ୍ମୁଖରେ ଭୋଗ ହେଉଥିବା ସ୍ଥାନରେ ମହାପ୍ରଭୁଙ୍କ ଶ୍ରୀଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବାକାର ମାଟି ନିର୍ମିତ ତିନିଗୋଟି ହାଣ୍ଡି ରଖାଯାଏ। କିନ୍ତୁ ପ୍ରତ୍ୟେକ ହାଣ୍ଡି ସମାନ ମାପର ହୋଇ ନ ଥାଏ। ପୂର୍ବରୁ ପାଣିଆ ଆପଟ ସେବକମାନେ ସିଂହଦ୍ୱାର ଛାଉଣୀ ମଠ ସମ୍ମୁଖସ୍ଥ କୂପରୁ ଗରାରେ ଜଳ କାଢି ରଥ ଉପରକୁ ବୋହି ନେଇ ବଡ଼ ପିତ୍ତଳ ହଣ୍ଡାରେ ରଖିଥାନ୍ତି। ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଲେଖାଏ ଧଳା କରିଆ (ଜାଲି କନା) ପକାଯାଏ। ମହାସୁଆରମାନେ ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥାନ୍ତି। ଏହାକୁ ପତ୍ରୀବଡୁ, ସୁଆରବଡ଼ୁ, ଗରାବଡ଼ୁ ପାଳିଆ ସେବକ ତିନିରଥ ଉପରେ ପୂଜାର୍ଚ୍ଚନା କରନ୍ତି।
ଏହାପରେ ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ଭୋଗ ଲଗାଇଥାନ୍ତି। ଭୋଗ ହେବା ପରେ ଠାକୁରମାନଙ୍କ ସମ୍ମୁଖରେ ପ୍ରପାନକପୂର୍ଣ୍ଣ ଏହି ପାତ୍ରମାନଙ୍କୁ ଭାଙ୍ଗି ଦିଆଯାଏ। ଜନଶ୍ରୁତିରୁ ଜଣାଯାଏ ତିନିରଥ ଉପରେ ଠାକୁରମାନଙ୍କୁ ଅର୍ପିତ ଅଧରପଣା ଭୋଗ ରଥର ପାର୍ଶ୍ୱ ଦେବଦେବୀ, ଅନ୍ୟାନ୍ୟ ଚଣ୍ଡୀ ଚାମଣ୍ଡା ଓ ଅଶରୀରୀମାନଙ୍କ ପାଇଁ ଉଦ୍ଦିଷ୍ଟ। କାରଣ ସଚରାଚର ବିଶ୍ୱ ବ୍ରହ୍ମାଣ୍ଡର ହିତ ସାଧନ ନିମନ୍ତେ ମହାପ୍ରଭୁ ନବଦିନାତ୍ମକ ଯାତ୍ରା କରିଥାନ୍ତି। ଏହି ଚଣ୍ଡୀ ଚାମଣ୍ଡା ପ୍ରଭୃତିଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ। ଏଣୁ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ସେମାନଙ୍କୁ ତୃପ୍ତ କରିବା ପାଇଁ ଏଭଳି ବିଧାନ ବହୁ ପ୍ରାଚୀନ କାଳରୁ ରହିଆସିଛି। ଏଥିପାଇଁ ଅଧରପଣା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ।