ବ୍ୟୁରୋ : ଓଡ଼ିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଯାହାଙ୍କ ର ଅଧର ମଧୂର , ଵଚନ ମଧୁର ଓ ରୂପ ମଧ୍ୟ ମଧୁର । ତାଙ୍କର ଚକା ଆଖି ପାଇଁ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ ଆଉ ନାଲୀ ଓଠ ପାଇଁ ଅନୁଷ୍ଠିତ ହୁଏ ଅଧର ପଣା । ଆଜି ହେଉଛି ମହାପ୍ରଭୁଙ୍କ ଅଧରପଣା ନୀତି । ଅତୃପ୍ତ ଆତ୍ମାର ତୃପ୍ତି, ଅଶରୀରୀଙ୍କ ମୁକ୍ତି ପାଇଁ ପାଇଁ ହୁଏ ଏହି ନୀତି । ଗତ କାଲି ଥିଲା ସୁନା ବେଶ । ସୁନାର ଶ୍ରୀଭୁଜ, ଶ୍ରୀପୟର, ହରିଡ଼ା ମାଳି, ବାହାଡ଼ା ମାଳି, ଘାଗଡ଼ା ମାଳି, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ ମୂଷଳ, ମୁକୁଟର ଆଭାରେ ଦାଉ ଦାଉ ଦିଶିଲେ ଚତୁର୍ଦ୍ଧା ମୂରତୀ ।
ମହାପ୍ରଭୁଙ୍କ ଅଧର ସମାନର ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡି ରେ ସ୍ୱତନ୍ତ୍ର ପଣା ଭୋଗ ହେଉଥିବା ହେତୁ ଏହି ନୀତି କୁ ଅଧର ପଣା ନୀତି କୁହାଯାଏ। ତେବେ ପୁରାଣରେ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରା ରେ ରଥ ସହିତ ଅନେକ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା, ତଥା ଅଶରିରୀମାନେ ରଥ ସହିତ ଯାତ୍ରା କରିଥାନ୍ତି। ମହାପ୍ରଭୁ ନିଲଦ୍ରୀ କନ୍ଦରକୁ ବିଜେ ପୂର୍ବରୁ ଏମାନଙ୍କ ଉଦ୍ଧାର ନିମନ୍ତେ ତଥା ସନ୍ତୋଷ ପ୍ରଦାନ ନିମନ୍ତେ ଏହି ଅଧର ପଣା ନୀତି ଅନୁଷ୍ଠିତ ହୋଇଥାଏ।
ଏହି ଅଧରପଣା ନୀତି ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ପରେ ହୋଇଥାଏ। ମହାପ୍ରଭୁଙ୍କ ଅଧର ପଣା ପ୍ରସ୍ତୁତି ମଧ୍ୟ ସ୍ବତନ୍ତ୍ର । ଶ୍ରୀମନ୍ଦିର ସମ୍ମୁରେ ଥିବା କୂପରୁ ଜଳ ନିଆଯାଇ ସ୍ବତନ୍ତ୍ର ହାଣ୍ଡିରେ ରଖାଯାଏ। କ୍ଷୀର, ସର, କଦଳୀ, ଛେନା, ଗୋଲ ମରିଚ ଗୁଣ୍ଡ, କର୍ପୂର, ଯାଇ ଫଳ, ଶର୍କରା ଆଦି ବିଭିନ୍ନ ସୁବାସିତ ଦ୍ରବ୍ୟ ମିଶାଯାଇ ଏହି ସ୍ବତନ୍ତ୍ର ପ୍ରପାନକ ତଥା ପଣା ପ୍ରସ୍ତୁତ ହୋଇଥାଏ। ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଇଥାଏ । ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି । ମହାପ୍ରଭୁଙ୍କ ଠାରେ ଏହା ଭୋଗ ଲାଗିବା ପରେ ଏହି ହାଣ୍ଡି ଗୁଡିକୁ ଭାଙ୍ଗି ଦିଆଯାଏ। ପଣା ଗୁଡି଼କ ରଥ ତଳକୁ ବହିଯାଏ । ଯାହାପରେ ଅପେକ୍ଷାରତ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା, ଅଶରିରୀ ମାନେ ପାନ କରି ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ କରନ୍ତି। ପରଦିନ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଥାଏ।
ତେବେ ପୂର୍ବ କାଳରେ ଅଧର ପଣା ନୀତି ତିନି ଦିନ ଅନୁଷ୍ଠିତ ହେଉଥିଲା। ପରବର୍ତ୍ତୀ ସମୟରେ ଏହି ଅଧର ପଣା ନୀତି କେବଳ ସୁନାବେଶ ପରଦିନ ପାଳନ ନେଇ ଶ୍ରୀମନ୍ଦିର ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼େ। ସେ କଳା ଠାକୁର ସମସ୍ତଙ୍କ ପାଇଁ ମୋକ୍ଷ ଓ ମୁକ୍ତିର ବାଟ । ତେଣୁକରି ମହାପ୍ରଭୁ ନୀଳ କନ୍ଦରକୁ ବିଜେ ପୂର୍ବରୁ ଅଶରିରୀଙ୍କ ତଥା ଅନ୍ୟାନ୍ୟ ଦେବାଦେବୀଙ୍କ ଉଦ୍ଧାର ଓ ସନ୍ତୋଷ ପ୍ରଦାନ ନିମନ୍ତେ ଏହି ଅଧର ପଣା ନୀତି ଅନୁଷ୍ଠିତ ହୁଏ ବୋଲି ବିଶ୍ବାସ ରହିଛି।