ମୁମ୍ବାଇ : ତୁନିଷା ଶର୍ମା ଆତ୍ମହତ୍ୟା ମାମଲା । ଆଜି ମୁମ୍ବାଇରେ ତୁନିଷାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ୍ୟୁର ୩ ଦିନ ପରେ ତୁନିଶା ଶର୍ମାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ସେପଟେ ପୋଲିସ ହେପାଜତରେ ଥିବା ସହଅଭିନେତା ସେଜାନ ମହମ୍ମଦ ଖାଁଙ୍କୁ ମାରାଥନ ଜେରା କରୁଛି ପୋଲିସ । ଡିସେମ୍ବର ୨୪ରେ ସୁଟିଂ ସେଟର ମେକଅପ ରୁମରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । କିଛି ସମୟ ତଳେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଥିବା ବେଳେ ତାଙ୍କ ମାଆଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଯାଇଛି । କାରଣ ଯେଉଁ ବୟସରେ ଲୋକେ ସ୍ୱପ୍ନ ଦେଖିବା ଆରମ୍ଭ କରନ୍ତି ସେହି ବୟସରେ ଆତ୍ମହତ୍ୟାକୁ ସହ୍ୟ କରିପାରୁନାହାନ୍ତି ପରିବାର ଲୋକେ |
ତୁନିଶାଙ୍କ ଅନ୍ତିମ ସଂସ୍କାରରେ ଅନେକ ଟିଭି କଳାକାର ସାମିଲ ହୋଇଥିଲେ । ସେହିଭଳି ଶାଜିନ ଖାନଙ୍କ ପରିବାର ସଦସ୍ୟ ମଧ୍ୟ ସେଠାରେ ପହଞ୍ଚିଥିଲେ । ତାଙ୍କ ମାଆ ଏବଂ ଭଉଣୀ ସେଠାରେ ନଜର ଆସିଥିଲେ । ତୁନିଶା ଏବଂ ଶାଜିନଙ୍କ ଭଉଣୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ଉଭୟ ସାମାଜିକ ଗଣମାଧ୍ୟମରେ ଅନେକ ଫଟୋ ମଧ୍ୟ ସେୟାର କରିଥାନ୍ତି ।
ସେପଟେ ଆସନ୍ତାକାଲି ସେଜାନଙ୍କ ରିମାଣ୍ଡ ଅବଧି ଶେଷ ହେବ । ତାଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୩୦୬ । ବ୍ରେକ ଅପ୍ ମୂଳରେ ଶ୍ରଦ୍ଧା ଓ୍ବାକର ମର୍ଡର ଏପିସୋଡ କାରଣ ଥିଲା ବୋଲି ପୋଲିସ ନିକଟରେ କହିଥିଲେ ସେଜାନ । ଶ୍ରଦ୍ଧାଙ୍କ ସହ ଭିନ୍ନ ଧର୍ମର ଅଫତାବ ସମ୍ପର୍କ ରକ୍ଷା କରିଆସିଥିଲା । ମାତ୍ର ଶେଷରେ ଯେପରି ଭାବେ ଏହା ହତ୍ୟାର ରୂପ ନେଲା, ସେଥିରେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ସେଜାନ । ସେହିପରି ତୁନିଷାଙ୍କ ବୟସ ୨୦ ଏବଂ ସେଜାନଙ୍କ ବୟସ ୨୮ ବର୍ଷ ହୋଇଥିବାରୁ ଏହାକୁ ନେଇ ଚିନ୍ତିତ ଥିଲେ ସେଜାନ ।
ଏହି କାରଣରୁ ତୁନିଷାଙ୍କ ସହ ବ୍ରେକ ଅପ କରିବା ଲାଗି ନିଷ୍ପତ୍ତି ନେଲେ ବୋଲି ସେଜାନ କହିଛନ୍ତି । ବ୍ରେକ ଅପ ପରେ ତୁନିଷା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ ସେ ତାଙ୍କୁ ବଞ୍ଚାଇ ଥିଲେ । ତୁନିଷାଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ତାଙ୍କ ମା’ଙ୍କୁ କହିଥିଲେ ବୋଲି ପୋଲିସ ନିକଟରେ କହିଛନ୍ତି ସେଜାନ । ପୋଲିସ ତୁନିଷା ଓ ସେଜାନଙ୍କ ମୋବାଇଲ ଜବତ କରି ଫରେନସିକ ଲାବରେଟୋରିକୁ ପଠାଇଛି ।