ସାଲେପୁର : ଦିର୍ଘ ଦିନର ବ୍ୟବଧାନ ପରେ ମାଆ ଫେରି ପାଇଛି ତା ପୁଅକୁ । ସାତବର୍ଷ ତଳେ କାମ କରିବା ପାଇଁ ଯାଇ ଆଉ ଫେରି ନଥିଲେ ପୁଅ । ଆଉ ଏବେ ପୁଅକୁ ପାଇ ଖୁସିରେ ଆତ୍ମହରା ମାଆ । ଆମେ କହୁଛୁ ସାଲେପୁର ବ୍ଳକ ଅନ୍ତର୍ଗତ ମିର୍ଜାପୁର ପଞ୍ଚାୟତ ଅଧିନସ୍ତ ଧର୍ମାଗତପୁର ଗ୍ରାମର ଗୋଲାପ ମଞ୍ଜରୀଙ୍କ କଥା । ଗୋଲାପ ମଞ୍ଜରୀ ସାତବର୍ଷ ତଳେ ଗ୍ରାମର ଜଣେ ବ୍ୟକ୍ତିଙ୍କ ସାଙ୍ଗରେ ବାଙ୍ଗାଲୋର କାମ କରିବା ପାଇଁ ପଠାଇଥିଲେ ପୁଅ ସଞ୍ଜୟକୁ ।କାମ କରିବାକୁ ପଠାଇବା ପରେ ଆଉ ପୁଅ ସହିତ ଯୋଗାଯୋଗ ହୋଇ ପାରିଲା ନାହିଁ କି କେଉଁଠି ଅଛି ତାହାର ଠିକଣା ମିଳିଲାନାହିଁ । ପୁଅର କୌଣସି ଖବର ନ ପାଇଁ ଗୋଲାପ ମଞ୍ଜରୀ ସାଲେପୁର ଥାନା ରେ ଅଭିଯୋଗ କରିବା ସହିତ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ପୋଲିସ ଠାରୁ ଆଶ୍ୱାସନା ମିଳେ କିନ୍ତୁ ଯେଉଁ ଭଳି ପଦକ୍ଷେପ ନେବା କଥା ସେ ଭଳି ପଦକ୍ଷେପ ପୋଲିସ ନିଏ ନାହିଁ ।ହଠାତ ଏକ ଭିଡିଓ ଭାଇରାଲ ହେଲା ଯେଉଁଥିରେ ତାଙ୍କ ପୁଅ ସଞ୍ଜୟ ମନାକରୁଛି ଘରକୁ ଆସିବ ନାହିଁ ବୋଲି । ଏ ଭିଡିଓ ଜରିଆରେ ଗୋଲାପ ମଞ୍ଜରୀ ବିଜ୍ୱୱାଡା ରେ ପହଞ୍ଚି ପୁଅକୁ ସାଙ୍ଗରେ ନେଇ ଆସିଲେ । ମା ସିନା ପୁଅକୁ ଫେରିପାଇଲା କିଏ ସଞ୍ଜୟ ଭୂଇଁଆଙ୍କୁ ଜୋର ଜବରଦସ୍ତି ଅଟକ ରଖିଥିଲା , କିଏ ଭିଡିଓ କରି ଭାଇରାଲ କଲା ତାହା ଜଣାପଡିନି । ଆଉ ଏବେ ସର୍ବସାଧାରଣରେ ଦାବି ହେଉଛି ପୋଲିସ ସଠିକ୍ ତଦନ୍ତ କଲେ ଏହା ଉପରୁ ପରଦା ଉଠି ପାରନ୍ତା ।