ଦୀର୍ଘ ୮ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ଗୁଳି ବିଦ୍ଧ ଦନ୍ତାହାତୀ

0

ନରସିଂହପୁର: ଶେଷରେ ଆଖି ବୁଜିଲା ଗୁଳି ବିଦ୍ଧ ଦନ୍ତାହାତୀ । ଦୀର୍ଘ ୮ ଦିନର ସଂଘର୍ଷ ପରେ ଆଖି ବୁଜିଛି ଗୁଳିବିଦ୍ଧ ହାତୀ । ଜୟପୁର ଜଙ୍ଗଲରେ ଅସୁସ୍ଥ ହୋଇ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଦନ୍ତା ହାତୀଟି ଶେଷରେ ମୃତ୍ୟୁ ବରଣ କରିଥିବା ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ପ୍ରଦାନ କରିଛନ୍ତି । ଶିକାରୀମାନେ ହାତୀକୁ ୫ରୁ ୬ଟି ଗୁଳି ମାରିଥିଲେ। ମରାଯାଇଥିବା ଗୁଳି ଗୁଡିକ ମଧ୍ୟରୁ ହାତୀର ଶୁଣ୍ଢରେ ଗୋଟିଏଗୁଳି ବାଜିଥିବା ସମୟରେ, ହାତୀର ଆଗ ଗୋଡ଼ରେ ୨ଟି ଗୁଳି, ଏବଂ ବାକିତକ ଗୁଳି ହାତୀର କାନ୍ଧ, କାନ ଓ ପେଟରେ ବାଜିଥିଲା। ଏହା ପରେ ହାତୀଟି ଯନ୍ତ୍ରଣା କାରଣରୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ଯନ୍ତ୍ରଣାରେ ଦନ୍ତାହାତୀଟି ଜଙ୍ଗଲ ଭିତରେ ଘୁରି ବୁଲୁଥିବା ସମୟରେ ଗ୍ରାମବାସୀମାନେ ବନବିଭାଗକୁ ଖବର ଦେଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ହାତୀ ଗୁଳି ଖାଇବା ଘଟଣା କେମିତି ଜାଣି ପାରିଲାନି ବନ ବିଭାଗ ?

ଅନ୍ୟପକ୍ଷେ, ଆଜି ସକାଳେ ଅସୁସ୍ଥ ଦନ୍ତାହାତୀ ଦୀର୍ଘ ଦିନ ପରେ କଡ଼ ଲେଉଟାଇଥିଲା । ଜେସିବି ସାହାଯ୍ୟରେ ବେଲ୍ଟ ଲଗାଇ ହାତୀକୁ କଡ଼ ଲେଉଟାଇଥିଲେ ହାତୀର ଚିକିତ୍ସା କରୁଥିବା ଟିମ । ଗୋଟିଏ ପଟରେ ଶୋଇ ଶୋଇ ହାତୀର ଗୋଟିଏ ପାଖରେ କେତେକ ସ୍ଥାନରେ ଘା ସୃଷ୍ଟି ହୋଇ ଯାଇଥିବା ବେଳେ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ତାଙ୍କ ଟିମ୍ ଅସୁସ୍ଥ ହାତୀର ଚିକିତ୍ସା କରୁଥିଲେ । ହାତୀକୁ ୧୫ ଟି ସାଲାଇନ ସହିତ ଔଷଧ ଇଞ୍ଜେକ୍ସନ ଦିଆଯାଇ ଚିକିତ୍ସା କରାଯାଉଥିଲା । ହାତୀଟି ଚୋପାଥିବା ଖାଦ୍ୟ ଖାଇବାରେ ସମସ୍ୟା ହେଉଥିଲା । ହାତୀକୁ ତରଭୁଜ ଆଦି କେତେକ ଫଳ ଚୋପା ଛଡାଇ ଦିଆଯାଉଥିଲା । ଧୀରେ ଧୀରେ ହାତୀର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିଲା । ହେଲେ ଶେଷରେ ହାତୀଟି ଆଖି ବୁଜିଛି ।