(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସାରା ବିଶ୍ୱରେ କିନ୍ନରଙ୍କୁ ସ୍ୱାଧୀନ ଭାବେ ଜୀବନ ଜୀଇଁବାର ଅଧିକାର ଦିଆଯାଇଛି । ତେଣୁ ଧୀରେ ଧୀରେ କିନ୍ନରଙ୍କ ପ୍ରତି ଲୋକଙ୍କ ଦୃଷ୍ଟି ଭଙ୍ଗିରେ ପରିବର୍ତ୍ତନ ଆସିଲାଣି । କିନ୍ତୁ ଏପର୍ଯ୍ୟନ୍ତ ଆମ ଦେଶରେ ଏହାକୁ ସ୍ୱୀକୃତି ମିଳିପାରି ନାହିଁ । ଏହାକୁ ଆଜି ମଧ୍ୟ ଆମ ସମାଜ ଏକ ଲଜ୍ଜା ମନେ କରେ । ଯେଉଁ ପରିବାରର କେହି କିନ୍ନର ଜନ୍ମ ନିଏ ତାହାକୁ ପରିବାର ପକ୍ଷରୁ ଲୁଚାଇବାକୁ ତଥା କିନ୍ନରକୁ ତା ଇଛା ମୁତାବକ ଜୀବନ ଜୀଇଁବାକୁ ଦିଆଯାଇ ନ ଥାଏ । କିନ୍ତୁ ପ୍ରକୃତିର ନିୟମ ନିକଟରେ ସବୁ ବାଧା ବନ୍ଧନ ଦୁର୍ବଳ ହୋଇଯାଏ । ଯୁବାବସ୍ଥା ଆସିବା ପୂର୍ବରୁ ପୁଅଟି ଝିଅ ହେବାକୁ ଓ ଝିଅଟି ପୁଅ ହେବାକୁ ସାମାଜିକ ବାଧାକୁ ଆଡେଇ ଚାଲିଯାଏ । ଯେମିତି ନିକଟରେ ଅନୁଗୁଳରେ ଦେଖିବାକୁ ମଳିଛି ।
ଅନୁଗୁଳ ଜିଲ୍ଲା କୋଲିଅରୀ ଥାନା ଅଧୀନରେ କାମ କରୁଥିବା ଜଣେ ଏମସିଏଲରେ ଚାକିରି କରୁଥିବା ବ୍ୟକ୍ତିଙ୍କ ୧୭ ବର୍ଷର ପୁଅ ଇଲେକ୍ଟ୍ରିକାଲ୍ରେ ଡିପ୍ଲୋମା କରୁଛନ୍ତି। ପିଲାଟି ବେଳୁ ଯଦିଓ ତାଙ୍କ ପାଖରେ କିନ୍ନର ସ୍ବଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା, କିନ୍ତୁ ଲୋକଲଜ୍ଜା ଭୟରେ ପରିବାର ତାକୁ ଲୁଚାଇବାକୁ ଚାହୁଁଥିଲେ। ପୁଅ ଭଳି ବଞ୍ଚିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା। ଏହି ବାଧ୍ୟବାଧକତା ଦୀର୍ଘ ୧୭ବର୍ଷ ପର୍ୟ୍ୟନ୍ତ ଚାଲିଲା। କିନ୍ତୁ ଗତ ମେ ମାସ ୨୪ତାରିଖ ଦିନ ସେ ଘରୁ ଚାଲିଯାଇ ଅଲ୍ ଓଡ଼ିଶା କିନ୍ନର ଆସୋସିଏସନ୍ର ସମ୍ପାଦିକା ମେଘନା ସାହୁଙ୍କୁ ଭେଟି ନିଜ ଦୁଃଖ ଜଣାଇଥିଲେ ।
ଅନ୍ୟପକ୍ଷରେ ନାବାଳକ ପୁଅର ନିଖୋଜ ନେଇ ପରିବାର ଲୋକେ କୋଲିୟରୀ ଥାନାରେ ଅଭିଯୋଗ କରିଥିଲେ । ଖୋଜାଖୋଜି କରି ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରୁ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ପୁଲିସ ନାବାଳକଙ୍କୁ ତାଳଚେର କୋର୍ଟରେ ହାଜର କରାଇଥିଲା। ନାବାଳକ କୋର୍ଟଙ୍କ ନିକଟରେ ତାର ସମସ୍ୟା କହିବା ସହ ସେ ଜଣେ ଝିଅ ଓ ଝିଅ ହୋଇ ରହିବାକୁ ଚାହୁଁଥିବା ଜଣାଇଥିଲା । କିନ୍ତୁ ବାପା ଏହାକୁ ସ୍ୱୀକାର କରି ପାରିନଥିଲେ । କିନ୍ତୁ ମାମଲା ଜଣେ ନାବାଳକକୁ ନେଇ ହୋଇଥିବାରୁ ମାମଲା ସିଡବ୍ଲୁସି ନିକଟକୁ ଯାଇଥିଲା । ଅନେକ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ସିଡବ୍ଲୁସି ବିଚାର ମୁତାବକ ଏବେ ନାବାଳକଙ୍କୁ ତାଙ୍କ ବାପା କିନ୍ନର ସଂଗଠନ ସହିତ ଖୁସିରେ ରହିବାକୁ ଛାଡ଼ି ଦେଇଥିବା ଜଣାପଡ଼ିଛି।