ଭୁବନେଶ୍ୱର: ଓଡିଶାରୁ ହଟିଲା ଆଦର୍ଶ ଆଚରଣ ବିଧି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନୂଆ ବିଧାନସଭା ଗଠନ ନେଇ ବିଧିବଦ୍ଧ ଭାବେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ ତିରୁମାଲା ନାୟକଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ନବ ନିର୍ବାଚିତ ବିଧାନସଭାରେ ସମ୍ବିଧାନ ସଂପର୍କିତ ବିଜ୍ଞପ୍ତି ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ଓଡିଶାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ରାଜ୍ୟପାଳ ମୁଖ୍ୟ ନିର୍ବାଚନ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।
ମାର୍ଚ୍ଚ ୧୬ ତାରିଖରୁ ବଳବତ୍ତର ରହିଥିଲା ଏହି ଆଚରଣ ବିଧି । ରାଜ୍ୟରେ ୪ ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଶେଷ ହୋଇଛି । ବିପୁଳ ବିଜୟ ସହ ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।