ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ରାଜ୍ୟରେ ଲାଗିରହିଥିଲା ବର୍ଷା । ଏବେ ବର୍ଷା ଛାଡିବା ପରେ ରାଜ୍ୟରେ ସାମାନ୍ୟ ଶୀତ ଅନୁଭୂତ ହେଉଛି । ତେଣୁ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଲୋକେ ବସୁଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ରାଜ୍ୟରେ ରାତି ତୁଳନାରେ ଦିନରେ ତାପମାତ୍ରା ସ୍ୱାଭାବିକଠାରୁ କମ ରହୁଛି । ତେଣୁ ଦିନ ବେଳା ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି । ମାତ୍ର ରାତିରେ ଯେଉଁ ପରିମାଣରେ ପାରଦ ଖସିବା କଥା, ତାହା ହେଉ ନଥିବାରୁ ରାତିରେ ବିଶେଷ ଥଣ୍ଡା ଅନୁଭୂତ ହେଉ ନଥିବା ଦେଖିବାକୁ ମିଳୁଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହୁଥିବା ହେତୁ ସୂର୍ୟ୍ୟକିରଣ ପଡ଼ୁନାହିଁ। ଏହାଦ୍ୱାରା ଦିନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ କମ୍ ରହୁଛି ଓ ଥଣ୍ଡା ଅନୁଭୂତ ହେଉଛି। ମାତ୍ର ରାତିବେଳା ଆକାଶ ମେଘୁଆ ହେତୁ ତାପମାତ୍ରା ଅଧିକ ରହୁଛି। ବର୍ତ୍ତମାନ ରାଜ୍ୟରେ ରାତିର ତାପମାତ୍ରା ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ଅଧିକ ରହିଥିବା ବେଳେ ଫୁଲବାଣୀରେ ଏହା ୭ ଡିଗ୍ରୀ ଅଧିକ ରହିଛି। ତେବେ ଆକାଶରୁ ମେଘଖଣ୍ଡ ହଟିବା ପରେ ରାତିରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ଏଥିପାଇଁ ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୫ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।