ନୂଆଦିଲ୍ଲୀ : ଆଜି ପୁଣି ବିଫଳ ହୋଇଛି କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ନବମ ବୈଠକ । ବାରମ୍ବାର ବୈଠକ ହେଉଥିଲେ ମଧ୍ୟ ସମାଧାନର ରାସ୍ତା ବାହାରିପାରୁନାହିଁ । ତେବେ ଆସନ୍ତା ଜାନୁଆରୀ ୧୯ ତାରିଖ ଦିନ ୧୨ଟାରେ ପୁୁଣି ବୈଠକ ବସିବ । ଆଜି ମଧ୍ୟ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କୃଷି ଆଇନ୍ ସମ୍ପର୍କରେ ଆଲୋଚନା ହୋଇଥିଲା । କିନ୍ତୁ କୃଷକ ମାନଙ୍କ ଗୋଟିଏ ଦାବି ଥିଲା କୃଷି ଆଇନ୍ ସଂମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା । ତେଣୁୁ ଆଜି ମଧ୍ୟ ସମାଧାନ ବାହାରିପାରିନଥିଲା । ୩ ନୂତନ କୃଷି ଆଇନକୁ ବିରୋଧ କରି ମାସେରୁ ଊଦ୍ଧ୍ୱର୍ କାଳ ଧରି ଚାଲିଥିବା କୃଷକ ଆନ୍ଦୋଳନ ବନ୍ଦ କରିବାକୁ କେନ୍ଦ୍ରର ପ୍ରୟାସ ଜାରି ରହିଛି । ଶୁକ୍ରବାର ଅପରାହ୍ନରେ ଏନେଇ ଆନ୍ଦୋଳନକାରୀ ଓ କେନ୍ଦ୍ରର ତିନି ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳ ଓ ଖାଦ୍ୟ ମନ୍ତ୍ରୀ ପୁୟୁସ ଗୋୟଲ ଓ ରାଜ୍ୟ ବାଣିଜ୍ୟ ମନ୍ତ୍ରୀ ସୋମ ପ୍ରକାଶ ତଥା ୪୦ଟି କୃଷକ ସଂଗଠନର ପ୍ରତିନିଧି ଆଜି ବିଜ୍ଞାନନଭବନରେ ଆଲୋଚନାରେ ଭାଗ ନେଇଥିଲେ ।
ପଞ୍ଜାବ, ହରିୟାନା, ପଶ୍ଚିମ ଉତ୍ତର ପ୍ରଦେଶରୁ ହଜାର ହଜାର ଚାଷୀ ଦିଲ୍ଲୀର ବିଭିନ୍ନ ସୀମାରେ ମାସେରୁ ଊଦ୍ଧ୍ୱର୍ କାଳ ହେବ ତିନି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଛନ୍ତି । ଗୁରୁବାର ତୋମର କହିଥିଲେ, ସରକାରର କୃଷକ ୟୁନିୟନ ସହ ୯ମ ଆଲୋଚନା ଫଳପ୍ରଦ ହେବ ବୋଲି ଆଶାବାଦୀ ଅଛନ୍ତି । ସରକାର କୃଷକ ନେତାଙ୍କ ସହ ମୁକ୍ତ ମାନସିକତାରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ସେ କହିଥିଲେ ।
କୃଷକଙ୍କ ଆନ୍ଦୋଳନର ତୀବ୍ରତାକୁ ଦୃଷ୍ଟିରେ ରଖି ଜାନୁଆରୀ ୧୧ ତାରିଖରେ ସୁପ୍ରିମ କୋର୍ଟ ତିନି ଆଇନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ।
Edit by Sushree Biswajeeta