ଭଦ୍ରକ(ରିପୋର୍ଟର୍ସ ଟୁଡେ): ରାଜ୍ୟରେ କୋରୋନା ସଂକ୍ରମଣ ହାର ଧିରେ ଧିରେ କମୁଛି ସତ, କିନ୍ତୁ କୋରୋନା ଜନିତ ମୃତ୍ୟୁହାର ଏବେ ବି ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରାଜ୍ୟରେ କୋରୋନା କଟକଣାକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କୋରୋନାରେ ଏତେ ସରି ହେବା ପରେ ମଧ୍ୟ ଲୋକମାନେ ଆଜି ପର୍ଯ୍ୟନ୍ତ ସତର୍କ ହେଉ ନାହାନ୍ତି କି କଟକଣାକୁ ମାନୁ ନଥିବା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ଭଦ୍ରକ ଜିଳ୍ଳା ଅସୁରାଳି ବଜାରରେ । କୋଭିଡ ନିୟମର ସଠିକ ଭାବେ ପାଳନ ହେଉନଥିବାରୁ ଏଠାରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏହି ବଜାରକୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ ।
ବଜାରରେ ହେଉଥିବା ଭିଡକୁ ନଜରରେ ରଖି ଏଠାକାର ସରପଞ୍ଚ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଆସନ୍ତା ୧ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଅସୁରାଳି ବଜାରକୁ ସଟଡାଉନ ଘୋଷଣା ହୋଇଛି । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଏହା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସଟଡାଉନ ସମୟରେ ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ନିବେଦନ କରିଛି ପ୍ରଶାସନ ।