ହରିୟାଣା-: କୋଲକତାର ଆରଜି କର ହସ୍ପିଟାଲର ଘଟିଥିବା ଦୁଷ୍କର୍ମ ମାମଲା ଏଯାଏଁ ଥମି ନଥିବା ବେଳେ ପୁଣି ଏକ ହସ୍ପିଟାଲରେ ଘଟିଛି ନାରକୀୟ କାଣ୍ଡ । ଯାହା ବର୍ବରତା ଓ ବିକୃତ ମାନସିକତାର ସବୁ ସୀମା ଟପିଛି । ଭେଣ୍ଟିଲେଟରରେ ରୋଗୀ ଭାବେ ଚିକିତ୍ସିତ ହେଉଥିବା ଜଣେ ଏୟାର ହଷ୍ଟେଜଙ୍କୁ ଦୁଷ୍କର୍ମ କରିଛି ସେହି ହସ୍ପିଟାଲର ଜଣେ କର୍ମଚାରୀ । ମହିଳା ଜଣଙ୍କ ଚଳପ୍ରଚଳ କରିପାରୁ ନଥିବାର ସୁଯୋଗ ନେଇ ସୈତାନ ଏମିତି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଆଉ ଏଭଳି ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାଟି ହରିୟାଣା ଗୁରୁଗ୍ରାମର ଏକ ଖ୍ୟାତନାମା ଘରୋଇ ହସ୍ପିଟାଲରେ ଘଟିଛି ।
ସୂଚନା ମୁତାବକ ୪୬ ବର୍ଷୀୟା ଏୟାର ହଷ୍ଟେଜ ଜଣଙ୍କ ଏପ୍ରିଲ ୫ ତାରିଖ ଦିନ ଗୁରୁଗ୍ରାମକୁ ଟ୍ରେନିଂ ପାଇଁ ଆସିଥିବା ବେଳେ ଏକ ହୋଟେଲରେ ରହିଥିଲେ ଏବଂ ସେ ଗାଧୋଇବା ବେଳେ ସୁଇମିଂ ପୁଲରେ ବୁଡି ଯାଇ ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରଦିନ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରେ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଥିଲା । ମହିଳା ଜଣଙ୍କ ଭେଣ୍ଟିଲେଟରରେ ଚେତାଶୂନ୍ୟ ଅବସ୍ଥାରେ ଥିବା ବେଳେ ହସ୍ପିଟାଲ କର୍ମଚାରୀ ଜଣଙ୍କ ତାଙ୍କୁ ଯୌନ ନିର୍ୟାତନା ଦେଇଥିଲେ ଏବଂ ତାଙ୍କ ଶରୀରରେ ଅଶାଳୀନ ସ୍ପର୍ଶ କରିଥିଲେ ଯାହା ମହିଳା ଜଣଙ୍କ ଜାଣିପାରୁଥିଲେ ମାତ୍ର ସେ ତାଙ୍କ ଶରୀର ଚଳପ୍ରଚଳ ପାଇଁ ଅକ୍ଷମ ଥିବାରୁ ନା ସେ ଚିତ୍କାର କରି ପାରୁଥିଲେ ନା ପ୍ରତିବାଦ କରି ପାରୁଥିଲେ ।
ତେବେ ମହିଳା ଜଣଙ୍କ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଘରେ ସ୍ବାମୀଙ୍କୁ ସବୁ କଥା କହିଥିଲେ । ପରେ ସ୍ବାମୀଙ୍କ ସହ ଯାଇ ଥାନାରେ ଏକ ଲିଖିତ ମାମଲା ଦାଏର କରିବା ପରେ ଅଭିଯୋଗକୁ ଆଧାର କରି ଗୁରୁଗ୍ରାମ ପୋଲିସ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା କରି ଘଟଣାର ତଦନ୍ତ ଆରମ୍ଭ କରିଛି ।