(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ):ଦେଶର ଅନ୍ୟତମ ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଦୀର୍ଘ ସମୟ ଧରି ଅର୍ଥ ସଙ୍କଟ ଏବଂ ଋଣ ବୋଝେଇ ଦେଇ ଗତି କରୁଛି । ପରିଚାଳନା ଖର୍ଚ୍ଚ ବୃଦ୍ଧି ଓ ଫରେନ୍ ଏକ୍ସଚେଞ୍ଜରେ କ୍ଷତି ଯୋଗୁ କମ୍ପାନୀ ପାଇଁ ଏବେ ସମସ୍ୟା ସୃଷ୍ଟି ହୋଇଛି । ୨୦୧୯-୨୦ରେ କମ୍ପାନୀ ୮ ହଜାର ୪୦୦ କୋଟି ଟଙ୍କାର କ୍ଷତି ସହିଥିବା ଜଣାଯାଇଛି ।
ତେବେ ଏହି ଗୋଟିଏ ବର୍ଷରେ କମ୍ପାନୀ ଯେତିକି କ୍ଷତି ସହିଛି ସେଥିରେ ଏକ ନୁତନ ଏୟାରଲାଇନ କମ୍ପାନୀ ଆରମ୍ଭ କରାଯାଇପାରିବ । ୨୦୧୮-୧୯ରେ ଏୟାର ଇଣ୍ଡିଆର ମୋଟ ୨୬ ହଜାର ୪୦୦ କୋଟି ଟଙ୍କା ଆୟ ହୋଇଥିବା ଜଣାଯାଇଛି । କିନ୍ତୁ ପରିଚାଳନା ଖର୍ଚ୍ଚ ବୃଦ୍ଧି ଯୋଗୁ କମ୍ପାନୀ ୪ ହଜାର ୬୦୦ କୋଟି ଟଙ୍କା କ୍ଷତି ସହିଛି । ତୈଳ ଦର ବୃଦ୍ଧି ଓ ଭାରତୀୟ ବିମାନଗୁଡିକ ପାଇଁ ପାକିସ୍ତାନ ଆକାଶମାର୍ଗ ବନ୍ଦ କରିଦେବା ପରେ ପ୍ରତିଦିନ ୩ରୁ ୪କୋଟି ଟଙ୍କା କ୍ଷତି ସହୁଥିବା କମ୍ପାନୀ ପକ୍ଷରୁ ଦର୍ଶାଯାଇଛି । କେବଳ ଜୁନ ରୁ ସେପ୍ଟେମ୍ବର ମାସ ମଧ୍ୟରେ କମ୍ପାନୀର ୧୭୫ରୁ ୨୦୦ କୋଟି ପରିଚାଳନାଗତ କ୍ଷତି ହୋଇଥିବା ଜଣାଯାଇଛି ।