ଏୟାର ଇଣ୍ଡିଆରେ ଶେଷ ହୋଇପାରେ ‘ମହାରାଜା’ ମାସ୍କଟ ଯୁଗ

0

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ବେଳେ ତାହାର ମାସ୍କଟ ‘ମହାରାଜା’ ଥିଲା କଂପାନିର ଏକ ବଡ଼ ପରିଚୟ। ସେହି ସମୟରେ ବିମାନ ଯାତ୍ରାକୁ ବିଳାସର ଶୀର୍ଷ ସୀମା ବିଚାର କରାଯାଉଥିଲା। କେବଳ ଧନୀ ଲୋକ ଓ ସେଲିବ୍ରିଟିମାନେ ବିମାନରେ ଯାତ୍ରା କରୁଥିଲେ। ୧୯୪୬ରେ ଏୟାର ଇଣ୍ଡିଆର ବାଣିଜ୍ୟିକ ନିର୍ଦ୍ଦେଶକ ବବି କୋକା ଓ ଜେ ୱାଲ୍ଟର ଥମ୍ପ୍ସନ୍ ନାମକ ବିଜ୍ଞାପନ ଏଜେନ୍ସିର ଚିତ୍ରକର ଉମେଶ ରାଓ ମିଳିତ ଭାବେ ‘ମହାରାଜା’ ମାସ୍କଟ୍ ପ୍ରସ୍ତୁତ କରିଥିଲେ। ପ୍ରାୟ ସାତ ଦଶଦ୍ଧି ଯାତ୍ରା କରିଥିବା ମହାରାଜାକୁ ହୁଏତ ଆଗାମୀ ଦିନରେ ଆଉ ଦେଖିବାକୁ ମିଳିବନି ବୋଲି କିଛି କହୁଥିବା ବେଳେ ଅନ୍ୟମାନେ କହୁଛନ୍ତି ଯେ ନୂଆ ରୂପରେ ତାହା ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।

ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ କିଣିବା ପରେ ଟାଟା ଗ୍ରୁପ ସେଥିରେ ପରିବର୍ତ୍ତନ ଆଣୁଛି। ଏହି ପ୍ରକ୍ରିୟାରେ ମହାରାଜା ମାସ୍କଟର ଯୁଗ ଶେଷ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏୟାର ଇଣ୍ଡିଆର ଏକ ନୂଆ ପରିଚୟ ସୃଷ୍ଟି ଲାଗି ଉଦ୍ୟମ କରୁଥିବା ଟାଟା ଗ୍ରୁପ ପ୍ରସୁନ ଯୋଶୀଙ୍କ ଅଧୀନରେ ପରିଚାଳିତ ହେଉଥିବା ମ୍ୟାକାନ୍ ୱାର୍ଲଡ୍ ଗ୍ରୁପ ଇଣ୍ଡିଆକୁ ନୂଆ ବ୍ରାଣ୍ଡ୍ ଅଭିଯାନ ସୃଷ୍ଟି କରିବାର ଦାୟିତ୍ବ ଦେଇଛି। ମହାରାଜା ସେହି ଅଭିଯାନର ଅଂଶ ହେବ ନା ନାହିଁ ତାହା ସନ୍ଦେହରେ ରହିଛି। ଗତ ଫେବ୍ରୁଆରିରେ ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ୍ ୱିଲସନ୍ ସ୍ପଷ୍ଟ କରିଥିଲେ ଯେ ମହାରାଜା କଂପାନିର ଅଂଶ ହୋଇରହିବ।