ଆସନ୍ତାକାଲି ଠାରୁ ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରୁ ହଠାତ୍ ବାଦ୍ ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଜଣେ ଶକ୍ତିଶାଳୀ ଖେଳାଳି। ସିଡନୀ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗୁରୁବାର ଦିନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା କୋଚ୍ ଗୌତମ ଗମ୍ଭୀର ଏନେଇ ସୂଚନା ପ୍ରଦାନ କରିଛନ୍ତି। ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟରୁ ଭାରତୀୟ ଦ୍ରୁତ ବୋଲର ଆକାଶଦୀପଙ୍କୁ ବାଦ୍ ଦିଆଯାଇଛି।
ଆକାଶଦୀପ ବ୍ରିସବେନ ଏବଂ ମେଲବୋର୍ଣ୍ଣରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳି ପାଞ୍ଚଟି ୱିକେଟ୍ ହାସଲ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ବୋଲିଂ ବେଳେ ସେ ଉଭୟ ମ୍ୟାଚ୍ରେ କ୍ୟାଚ୍ ହରାଇଥିଲେ। ମ୍ୟାଚ୍ ପୂର୍ବରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଭାରତୀୟ କୋଚ୍ ଗୌତମ ଗମ୍ଭୀର କହିଛନ୍ତି କି, ‘ଅଣ୍ଟାରେ ସମସ୍ୟା କାରଣରୁ ଆକାଶଦୀପ ଏହି ମ୍ୟାଚ୍ ଖେଳି ପାରୁ ନାହାନ୍ତି ‘। ଦୁଇଟି ଟେଷ୍ଟରେ ଆକାଶଦୀପ ୮୭.୫ ଓଭର ବୋଲିଂ କରିଥିଲେ ଏବଂ ଅତ୍ୟଧିକ କାର୍ଯ୍ୟଭାର ମଧ୍ୟ ତାଙ୍କ ଆଘାତର କାରଣ ହୋଇପାରେ ବୋଲି ଆଲୋଚନା କରାଯାଉଛି ।
- କୋଚ୍ ଗମ୍ଭୀର କରିଛନ୍ତି କନଫର୍ମ
ଅଷ୍ଟ୍ରେଲିୟ ଗ୍ରାଉଣ୍ଡରେ ଦ୍ରୁତ ବୋଲରମାନେ ଆଣ୍ଠୁ, ଗୋଡ ଏବଂ ପିଠିରେ ଆଘାତ ଜନିତ ସମସ୍ୟା ବାରମ୍ବାର ସାମ୍ନାକୁ ଆସୁଛି | ଅନ୍ୟପକ୍ଷେ ଆକାଶଦୀପଙ୍କ ସ୍ଥାନରେ ହର୍ଷିତ ରାଣା କିମ୍ବା ପ୍ରସିଦ୍ଧ କ୍ରୀଷ୍ଣା ଖେଳିପାରନ୍ତି। ଏହି ସିରିଜରେ ଭାରତ 1-2 ରେ ପଛରେ ଅଛି ଏବଂ ସୀମା ଗାଭାସ୍କର ଟ୍ରଫି ଜିତିବା ପାଇଁ ଯେକୌଣସି ମୂଲ୍ୟରେ ଶେଷ ଟେଷ୍ଟରେ ଭାରତୀୟ ଟିମ୍ କୁ ଜିତ୍ ହାସଲ କରିବାକୁ ପଡିବ |
- ଅଧିନାୟକ ରୋହିତ ଶର୍ମାଙ୍କ ଖେଳିବା ନେଇ ସନ୍ଦେହ
ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଖେଳିବାକୁ ନେଇ ଏବେ ବି ସନ୍ଦେହ ରହିଛି। ଅଧିନାୟକ ରୋହିତ ଶର୍ମା ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍ ଖେଳିବେ କି ନାହିଁ ତାହା ଜାଣିବା ପାଇଁ ସମସ୍ତ କ୍ରୀଡ଼ାପ୍ରେମୀ ଆଗ୍ରହୀ ଅଛନ୍ତି ।ରୋହିତ ଶର୍ମାଙ୍କ ବିଷୟରେ କୋଚ୍ ଗମ୍ଭୀର ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଗୌତମ ଗମ୍ଭୀର କହିଛନ୍ତି, ‘ରୋହିତଙ୍କ ସହ ସବୁକିଛି ଠିକ ଅଛି ଏବଂ ମୁଁ ଭାବୁ ନାହିଁ ଯେ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଅନୁପସ୍ଥିତି ଏକ ଚର୍ଚ୍ଚାର ବିଷୟ। ମୁଖ୍ୟ ପ୍ରଶିକ୍ଷକ ଏଠାରେ ଅଛନ୍ତି ଏବଂ ଆସନ୍ତାକାଲିର ମ୍ୟାଚ୍ ବହୁତ ଭଲ ରହିବ| ଆସନ୍ତାକାଲି ଆମେ ୱିକେଟ୍ ଦେଖିବା ଏବଂ ଆମର ପ୍ଲେଇଂ ଇଲେଭେନ୍ ବାଛିବା |