ଭୁବନେଶ୍ୱର: ଅପ୍ରେଲ ୧ ତାରିଖରୁ ରାଜଧାନୀରେ ସମସ୍ତ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଟୀକା ଦିଆଯିବ । ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାର୍ୟ୍ୟ କରୁଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଦିଆଯିବ। ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
କମିଶନର ଆହୁରି କହିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ଦୈନିକ ୬ ହଜାର ଟେଷ୍ଟିଂ ଭୁବନେଶ୍ବରରେ କରିବା ପାଇଁ ଟାର୍ଗେଟ ରଖାଯାଇଛି । ବର୍ତ୍ତମାନ ଷ୍ଟ୍ରିଟ୍ ଭେଣ୍ଡର, ମଲର କର୍ମଚାରୀ, ରେଷ୍ଟୁରାଣ୍ଟର କର୍ମଚାରୀ, ୪୫ରୁ ଅଧିକ ବୟସର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ, ଇଲେକ୍ଟ୍ରି ସପ୍ଲାୟରଙ୍କୁ ଟୀକା ଦିଆଯିବ । ଏନେଇ ୨୦ ହଜାରରୁ ଅଧିକ ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ମାସେରୁ ୨ ମାସ ଭିତରେ ସମସ୍ତଙ୍କ ଟୀକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।