ପୁରୀ: ରତ୍ନ ସିଂହାସନ ଛାଡି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ବିଶ୍ବନିଅନ୍ତା । ମହାପ୍ରଭୁଙ୍କ ଘୋଷଯାତ୍ରାର ଆଜି ଦ୍ବିତୀୟ ଦିନ । ସକାଳୁ ସକାଳୁ ଜୟ ଜଗନ୍ନାଥ ଧ୍ବନୀରେ କମ୍ପୁଛି ବଡଦାଣ୍ଡ । ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛି ଆଖି । ଗତକାଲି ବଡଦାଣ୍ଡରେ ଅଟକିଥିବା ତିନିରଥ ଆଜି ଶରଧାବାଲିରେ ପହଞ୍ଚିଛି । ରତ୍ନବେଦୀରୁ ଜନ୍ମବେଦୀକୁ ଅଭିମୁଖେ ବାହାରିଥିଲେ ଦାରୁବ୍ରହ୍ମ । ନୀତିକାନ୍ତି ଶେଷ ପରେ ଆରମ୍ଭ ହୋଇଥିଲା ରଥ ଟଣା । ଶ୍ରୀଜିଉଙ୍କ ରଥକୁ ଶ୍ରୀଗୁଣ୍ଡିଚା ଅଭିମୁଖେ ଟାଣି ନେଇଥିଲେ ଲକ୍ଷାଧିକ ଭକ୍ତ ।
ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାର ଦ୍ବିତୀୟ ଦିନରେ ରଥଟଣା ଶେଷ ହୋଇଛି । କାଲି ସନ୍ଧ୍ୟା ହୋଇଯିବାରୁ ରଥଟଣା ବନ୍ଦ କରାଯାଇଥିଲା । ଆଜି ନୀତିକାନ୍ତି ପରେ ସକାଳେ ପୁଣି ରଥଟଣା ଆରମ୍ଭ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲେ ତିନି ଠାକୁର । ଅପରାହ୍ନ ୧ଟା ସୁଦ୍ଧା ଶରଧାବାଲିରେ ପହଞ୍ଚିଛି ତିନି ରଥ । ରଥାରୂଢ ତିନି ଠାକୁର ବଡ଼ଦେଉଳ ଛାଡ଼ି ଜନ୍ମସ୍ଥାନକୁ ଆସିଛନ୍ତି । ଆଜି ତିନିରଥରେ ଶ୍ରୀବିଗ୍ରହମାନେ ରଥାରୂଢ ହୋଇ ରହିବେ । ରଥ ଉପରେ ସମସ୍ତ ନୀତିକାନ୍ତି ହେବା ପରେ ବିଳମ୍ବିତ ରାତିରେ ପହଡ ପଡିବ । ଆସନ୍ତାକାଲି ସକାଳୁ ପହଡ ଖୋଲିବା ସହ ମଙ୍ଗଳ ଆଳତି, ମଇଲମ ଓ ଅନ୍ୟ ନୀତିକାନ୍ତି ହେବ । ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପକୁ ପହଣ୍ଡି କରାଯିବ । ଅପରାହ୍ନରେ ରଥରୁ ଅଶ୍ବ ଖୋଲାଯିବା ସହ ଚାରମାଳ ବନ୍ଧାଯିବ । ଏହା ପରେ ଆଡପ ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିବେ ଶ୍ରୀବିଗ୍ରହ ।
ସେଠାରେ ନଅ ଦିନ ରହି ଗୁଣ୍ଡିଚା ରାଣୀଙ୍କ ଶ୍ରଦ୍ଧା ଗ୍ରହଣ କରି ମାନବୀୟ ଲୀଳା କରିବେ । ପୁଣି ୯ ଦିନ ପରେ ଫେରିଯିବେ ନିଜ କର୍ମସ୍ଥାନ ଶ୍ରୀମନ୍ଦିରକୁ । ଆଜି ସିନା ଗୁଣ୍ଡିଚା ମନ୍ଦିର ଖୁସିରେ ଉଛୁଳୁଛି କିନ୍ତୁ ପ୍ରାଣପ୍ରିୟ ମହାପ୍ରଭୁଙ୍କୁ ଛାଡି ଶ୍ରୀମନ୍ଦିର କିନ୍ତୁ ସନ୍ତାପି ହେଉଛି । ରଧାବାଲିରେ ପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ୧୧ଟା ୧୫ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିବା ପରେ ଆସିଥିଲେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ଶରଧାବାଲିରେ ରଥ ଲାଗିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।
ଗତକାଲି ରଥଟଣାରେ ବିଳମ୍ବ ଯୋଗୁ ଶରଧାବାଲିରେ ପହଞ୍ଚି ପାରିନଥିଲା । ଅପରାହ୍ଣ ୪ଟା ୧୦ରେ ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୭ଟା ୩୦ ଯାଏଁ ରଥଟଣା ହୋଇଥିଲେ ମଧ୍ୟ ବଡ଼ଦାଣ୍ଡରେ ଅଳ୍ପ ବାଟ ଯାଇ ଅଟକି ଯାଇଥିଲେ ଶ୍ରୀଜିଉ । ରଥଟଣା ବନ୍ଦ ହେବା ସୁଦ୍ଧା ବଡ଼ଦାଣ୍ଡରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଳଗଣ୍ଡି ଛକରେ ଅଟକି ଯାଇଥିଲା। ସେହିପରି ମାର୍କେଟ ଛକ ପାଖରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକି ଯାଇଥିଲାବେଳେ ଏହା ପଛକୁ ଶ୍ରୀମନ୍ଦିରରୁ କିଛି ବାଟ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକି ଯାଇଥିଲା । ଏବେ ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି କରାଯିବ। ଏହାପରେ ସେବାୟତମାନେ ଶ୍ରୀଜୀଉଙ୍କୁ ଗୋଟି ପହଣ୍ଡିରେ ଆଣି ଆଡ଼ପ ମଣ୍ଡପରେ ବିଜେ କରାଇବେ।