ଶ୍ରୀନଗର: ଆରମ୍ଭ ହେଲା ଅମରନାଥ ଯାତ୍ରା । ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରୀ । ଦେବଦେବ ମହାଦେବଙ୍କ ଦର୍ଶନ ପାଇଁ ବେସ୍ କ୍ୟାମ୍ପରୁ ଆରମ୍ଭ ହୋଇଛି ଯାତ୍ରା । ଧାର୍ମିକ ଭାବାବେଗ ସହ ପ୍ରଥମ ପର୍ଯ୍ୟାୟ ଯାତ୍ରୀ ବେସ୍ କ୍ୟାମ୍ପ ଛାଡ଼ିଛନ୍ତି। କିଏ ଚାଲିଚାଲି ତ କିଏ ଘୋଡ଼ା ପିଠିରେ ଯାତ୍ରା କରୁଛନ୍ତି । ବାବାଙ୍କ ଦର୍ଶନ ପାଇଁ ପାହାଡ଼ ଛାତିରେ ଆଗକୁ ବଢ଼ୁଛନ୍ତି ଯାତ୍ରୀ । ପହଲଗାମ ନୁନୱାନ ବେସ୍ କ୍ୟାମ୍ପ ଏବଂ ବଲତାଲ ବେସ୍ କ୍ୟାମ୍ପରୁ ଯାତ୍ରା ଆରମ୍ଭ ହୋଇଛି। ଦୁଇଟି ରାସ୍ତା ଦେଇ ଅମରନାଥକୁ ଯାଉଛନ୍ତି ଶ୍ରଦ୍ଧାଳୁ ।
ଦକ୍ଷିଣ କାଶ୍ମୀର ହିମାଳୟ ପର୍ବତରେ ଅବସ୍ଥିତ ହିମସ୍ୱରୂପ ଶିବଲିଙ୍ଗ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ଆଜିଠୁ ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ବାର୍ଷିକ ଅମରନାଥ ଯାତ୍ରା । ଯାତ୍ରାର ନୋଡାଲ ଅଧିକାରୀ, ଜିଲ୍ଲା ବିକାଶ ଆୟୁକ୍ତ, ପୋଲିସ ପ୍ରଶାସନ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ସବୁଜ ପତାକା ଦେଖାଇ ପହଲଗାମ- ନୁନ୍ଓ୍ବାନ ଓ ବାଲଟାଲ ମାର୍ଗରୁ ଯାତ୍ରା ଶୁଭାରମ୍ଭ କରିଥିଲେ । କଡା ସୁରକ୍ଷା ଓ ବ୍ୟାପକ ବ୍ୟବସ୍ଥା ମଧ୍ୟରେ ଯାତ୍ରୀମାନେ ଭଗବାନଙ୍କ ଦର୍ଶନ ପାଇଁ ବାହାରିଛନ୍ତି ।
ପଞ୍ଜୀକୃତ କରିଥିବା ଶ୍ରଦ୍ଧାଳୁମାନେ ‘ବମ୍ ବମ୍ ଭୋଲେ’ ଏବଂ ‘ ଜୟ ଶିବ ଶମ୍ଭୁ’ ସ୍ଲୋଗାନ ଦେଇ ବସ୍ରେ ପ୍ରବେଶ କରିଥିଲେ। ବିଭିନ୍ନ ଦଫାରେ ଶ୍ରଦ୍ଧାଳୁଙ୍କୁ ପ୍ରଥମେ ଶ୍ରୀନଗର ପର୍ଯ୍ୟନ୍ତ ନିଆଯିବ। ସେଠାରୁ ସେମାନେ ନିଜ ପସନ୍ଦ ମୁତାବକ ପେହେଲଗାଓଁ କିମ୍ବା ବାଲ୍ତାଲ ରାସ୍ତା ଦେଇ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ଯାତ୍ରା କରିବେ। ପୂର୍ବବର୍ଷ ଭଳି ଏଥର ମଧ୍ୟ ଅମରନାଥ ଯାତ୍ରା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମରନାଥ ଯାତ୍ରୀଙ୍କ ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି।
ଅମରନାଥ ପୀଠ ସ୍ଥଳ ଅଭିମୁଖେ ୨ଟି ରାସ୍ତାରେ ପାଖାପାଖି ୫୦ ହଜାର ସିଆରପିଏଫ୍ ଯବାନ ମୁତୟନ ହୋଇଛନ୍ତି । ଆସନ୍ତା ଅଗଷ୍ଟ ୯ ତାରିଖରେ ଶେଷ ହେବ ଏହି ୩୮ ଦିନିଆ ଯାତ୍ରା । ଏ ବର୍ଷ ପ୍ରାୟ ସାଢ଼େ ୩ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା ପାଇଁ ପଂଜୀକରଣ କରିଛନ୍ତି । ବର୍ଷକୁ ଥରେ ଭଗବାନଙ୍କ ଦର୍ଶନ ମିଳିଥାଏ । ହିମସ୍ୱରୂପ ଶିବଲିଙ୍ଗ ଦର୍ଶନ ନିମନ୍ତେ ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ଅମରନାଥ ଯାତ୍ରା କରିଥାନ୍ତି ।