(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶାହଙ୍କୁ ଶ୍ରୀମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନିଆଯାଇଥିଲା। ସିଂହଦ୍ୱାର ସମ୍ମୁଖରେ ରେଡ୍ କାର୍ପେଟ ବିଛାଯିବା ସହ ବ୍ୟାପକ ପୁଲିସ୍ ମୁତୟନ କରାଯାଇଥିଲା।
ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅବସରରେ ଅମିତ ଶାହାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ଅରୁଣ ସିଂହ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହା ସହ ବିଜେପିର କିଛି ବରିଷ୍ଠ ନେତା, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପୁରୀ ଗସ୍ତ ଶେଷ ପରେ ଅମିତ ଶାହା ଭୁବନେଶ୍ୱର ଫେରିଆସିବେ। ଭୁବନେଶ୍ୱରରେ ସେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ। ପ୍ରାୟ ୧୧ଟାରେ ଶାହା ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ। ମନ୍ଦିର ଭିତରେ ପ୍ରାୟ ଅଧ ଘଣ୍ଟା ବିତାଇବାର କାର୍ୟ୍ୟକ୍ରମ ରହିଛି। ଶାହାଙ୍କ ଶ୍ରୀଲିଙ୍ଗରାଜ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପ୍ରଶାସନ ତରଫରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯିବ। ଏହା ପରେ ମନ୍ଦିରର ପୂଜାରୀମାନେ ଶାହାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେବେ। ମହାପ୍ରଭୁଙ୍କ ଦର୍ଶନ ପରେ ଶାହା ମଧ୍ୟାହ୍ନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପହଞ୍ଚିବେ। ଏଥି ସହ ସେ ଦୁଇ ଦିନିଆ ଗସ୍ତ ଶେଷ କରି ଦିଲ୍ଲୀ ଫେରିଯିବାର କାର୍ୟ୍ୟକ୍ରମ ରହିଛି।