ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ୨ ତାରିଖରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ‘ଅମୃତ ଉଦ୍ୟାନ’ । ଏହା ମାର୍ଚ୍ଚ ୩୦ ତାରିଖ ଯାଏଁ ଖୋଲା ରହିବ । ଏନେଇ ମଙ୍ଗଳବାର ରାଷ୍ଟ୍ରପତି ଭବନରୁ ଏକ ବିବୃତ୍ତି ପ୍ରକାଶ ପାଇଛି । ସପ୍ତାହର ୬ ଦିନ ଅମୃତ ଉଦ୍ୟାନ ଖୋଲା ରହିବାବେଳେ କେବଳ ସୋମବାର ଦିନ ଏହି ସୌନ୍ଦର୍ଯ୍ୟଭରା ଉଦ୍ୟାନ ବନ୍ଦ ରହିବ । ପର୍ଯ୍ୟଟକମାନେ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ । ଉତ୍ତର ଆଭେନ୍ୟୁ ରୋଡ୍ ନିକଟରେ ଥିବା ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର ୩୫ ରୁ ପର୍ଯ୍ୟଟକମାନେ ଉଦ୍ୟାନରେ ପ୍ରବେଶ କରିବେ। ଏହା ସହ ସମସ୍ତ ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ବସ୍ ସେବା ମଧ୍ୟ କରାଯାଇଛି । ଏହି ବସ୍ ଗୁଡ଼ିକ ସକାଳ ୯.୩୦ରୁ ଆରମ୍ଭ କରି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରତି ୩୦ ମିନିଟ ସମୟ ବ୍ୟବଧାନରେ ଚଳାଚଳ କରିବ । ଅମୃତ ଉଦ୍ୟାନକୁ ପ୍ରବେଶ କରିବା ପାଇଁ, ଆପଣ visit.rashtrapatibhavan.gov.in ରେ ଯାଇ ଅନଲାଇନରେ ଟିକେଟ ବୁକ୍ କରିପାରିବେ କିମ୍ବା ସେଠାରେ ଥିବା କାଉଣ୍ଟରରୁ ମଧ୍ୟ ଟିକେଟ୍ ନେଇପାରିବେ ।