ପୋଲିସ ବିରୁଦ୍ଧରେ ମକଦ୍ଦମା ପାଇଁ ଅନୁମତି ମାଗିଲେ ଅମୃତଙ୍କ ମା

0

ପାରାଦ୍ଵୀପ (ପ୍ରଶାନ୍ତ କୁମାର ସ୍ଵାଇଁ): କୁଜଙ୍ଗ ଅମୃତ ଦାଶ ହତ୍ୟାକାଣ୍ଡକୁ ବିନା ତଦନ୍ତରେ ରଫା ଦଫା କରିଥିବା ୫ ଜଣ ପୋଲିସ ଅଧିକାରୀଙ୍କ ନାମରେ ମକଦ୍ଦମା କରିବା ପାଇଁ ୧୯୭ ସି ଆର ପି ସି ଧାରାରେ ଜଗତସିଂହପୁର ଏସପି ଓ ଡ଼ିଜିଙ୍କ ନିକଟରୁ ଅନୁମତି ମାଗିଛନ୍ତି ମା ସୁଲୋଚନା ଦାସ । ୨୦୧୯ ମସିହା ଜୁଲାଇ ୨୦ ତାରିଖରେ ତିର୍ତୋଲ ଥାନା ଅଞ୍ଚଳରୁ ଅମୃତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଏହାକୁ ଏକ ସଡ଼କ ଦୁର୍ଘଟଣା ବୋଲି ଦର୍ଶାଇବା ସହିତ ତଦନ୍ତ ବନ୍ଦ କରି ଦେଇଥିଲା। ଯାହା ବିରୋଧରେ ଅମୃତ ଦାଶଙ୍କ ମା କୁଜଙ୍ଗ ଜେଏମଏଫସି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶରେ ଏହି କେସର ତଦନ୍ତ ଦାୟୀତ୍ୱ କୁଜଙ୍ଗ ଥାନାକୁ ଦିଆଯାଇଥିଲା। ମାତ୍ର ସେତେବେଳର କୁଜଙ୍ଗ ଆଇଆଇସି , ଜଣେ ଏସ ଆଇ ତିର୍ତ୍ତୋଲ ଥାନାର ଏସଡିପିଓ , ଜଣେ ଏ ଏସ ଆଇ ଓ ଜଗତସିଂହପୁର ଏସପି ଏହି କେସକୁ ସଠିକ ତଦନ୍ତ ନ କରି ଏହାକୁ ବନ୍ଦ କରିଦେଇଥିଲେ। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କିଛି ଶୁଣି ନଥିଲେ ତଦନ୍ତକାରୀ ଅଫିସର। ତେଣୁ ଏହି ଘଟଣାରେ ସମ୍ପୃକ୍ତ ୫ ଜଣ ପୋଲିସ ଅଫିସରଙ୍କ ନାମରେ କୁଜଙ୍ଗ କୋର୍ଟ ଓ ଓଡ଼ିଶା ହାଇକୋର୍ଟରେ ଧାରା ୧୯୭ ସିଆରପିସିରେ ମକଦ୍ଦମା କରିବାକୁ ଜଗତସିଂହପୁର ଜିଲ୍ଲାର ନୂତନ ଏସପି ଓ ପୋଲିସ ଡ଼ିଜିଙ୍କ ଠାରୁ ଅମୃତ ଦାଶ ଙ୍କ ମା ସୁଲୋଚନା ଦାସ ଅନୁମତି ମାଗିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଉଭୟ କୋର୍ଟରେ ମାମଲା ଦାୟର କରାଯିବ ବୋଲି ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ସୁଲୋଚନା ଦାଶ।