ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟସ୍ଥ ମେଘାଣୀ ନଗର ଅଞ୍ଚଳରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି

0

ଅହମ୍ମଦବାଦ-: ଗୁଜରାଟର ରାଜଧାନୀ ଅହମ୍ମଦବାଦରେ ଆଜି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟସ୍ଥ ମେଘାଣୀ ନଗର ଅଞ୍ଚଳରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିବା ଜଣାପଡିଛି । ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ନିକଟବର୍ତ୍ତୀ ଏକ କୋଠା କିମ୍ବା କାନ୍ଥରେ ଧକ୍କା ଦେବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଦୁର୍ଘଟଣା ପରେ ଅଞ୍ଚଳରେ ଆକାଶ କଳା ଧୂଆଁମୟ ହୋଇଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅହମ୍ମଦାବାଦରୁ ଲଣ୍ଡନ ଯିବାକୁ ଉଡ଼ାଣ ଭରିଥିଲା ବିମାନ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସମସ୍ତ ସଡ଼କ ପଥ ସିଲ୍‌ କରାଯାଇଛି। ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପହଞ୍ଚିଛି । ଗ୍ରିନ୍ କରିଡର କରାଯାଇ ସେଠାରୁ ଆହତ ଯାତ୍ରୀଙ୍କୁ ହସ୍ପିଟାଲ ନିଆଯାଉଥିବା ଜଣାପଡ଼ିଛି ।

ଦୁର୍ଘଟଣା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଏବଂ ଯୁଦ୍ଧକାଳୀନ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାସ୍ଥଳ ସ୍ଥଳକୁ ଯାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ପ୍ରାୟ ୯୦ ଜଣିଆ ଟିମ୍‌ ଏନଡିଆରଏଫ ଟିମ୍‌ ଦୁର୍ଘଟଣା ସ୍ଥଳକୁ ଯାଇଛନ୍ତି । ଦୁର୍ଘଟଣାର ମାତ୍ର କିଛି କ୍ଷଣ ପୂର୍ବରୁ ‘ମେଡେ କଲ୍‌’ କରିଥିଲେ ପାଇଲଟ୍‌ । ଆସନ୍ନ ବିପଦ ଜାଣିପାରି ପାଇଲଟ୍‌ କଲ୍‌ କରିଥିଲେ । ଦୁର୍ଘଟଣାଗ୍ରସ୍ତ ବିମାନରେ ୫୨ ବ୍ରିଟିଶ ପାସେଞ୍ଜର,ପର୍ତ୍ତୃଗାଲ୍‌ର ୫ ନାଗରିକ,୧୬୯ ଭାରତୀୟ ଥିଲେ ।  ଅନ୍ୟ କେଉଁ ଦେଶର ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ଏହି ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା । ବିମାନଟି ଅପରାହ୍ନ ୧.୩୮ ରେ ଉଡ଼ାଣ ଭରିଥିଲା ଏବଂ ମାତ୍ର ୨ ମିନିଟ୍ ମଧ୍ୟରେ ଅପରାହ୍ନ ୧.୪୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତବେ ଏବେ ସୁଦ୍ଧା ୧୧୦ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।