୩ ହଜାର ଟଙ୍କାରେ ଫାସ୍ ଟ୍ୟାଗ୍ ର ମିଳିବ ବାର୍ଷିକ ପାସ୍

0

ନୀତିନ ଗଡକରୀଙ୍କ ବଡ ଘୋଷଣା । ଫାସ୍ ଟ୍ୟାଗ୍ ର ବାର୍ଷିକ ପାସ୍ ଏବେ ୩ ହଜାର ଟଙ୍କାରେ ମିଳିବ । ଦୀର୍ଘ ଦିନରୁ କୁହାଯାଉଛି ଯେ, ସାରା ଦେଶରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏକ ନୂତନ ଟୋଲ୍ ନୀତି ଆଣିବା ପାଇଁ ଯୋଜନା କରୁଛି । ଯାହା ଅଧୀନରେ ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଯାତ୍ରାକୁ ସହଜ କରିବା ନିମନ୍ତେ ଅନେକ ସୁବିଧା ଉପଲବ୍ଧ କରାଯିବ । ଆଉ ଏବେ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଫାସ୍ ଟ୍ୟାଗ୍ କୁ ନେଇ ବାର୍ଷିକ ପାସ୍ ଜାରି କରାଯିବ ବୋଲି ଘୋଷଣା କରିଛନ୍ତି ।


ତେବେ ଆସନ୍ତୁ ଜାଣିବା ଏହି ଫାସ୍ ଟ୍ୟାଗ୍ ପାସ୍ କେବେ ଏବଂ କିପରି ପ୍ରଦାନ କରାଯିବ ଏବଂ ଏହାକୁ ପାଇବା ପାଇଁ ବ୍ୟବହାରକାରୀମାନଙ୍କୁ କ’ଣ କରିବାକୁ ହେବ ?
ସୋସିଆଲ ମିଡିଆରେ ସାରା ଦେଶରେ ବାର୍ଷିକ ଫାସ୍ ଟ୍ୟାଗ୍ ଜାରି କରିବା ନେଇ ଘୋଷଣା ହୋଇଛି । ଏହି ବାର୍ଷିକ ପାସ୍ ପାଇଁ ବ୍ୟବହାରକାରୀଙ୍କୁ ବର୍ଷକୁ କେବଳ ଥରେ ୩ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏହି ପାସ୍ ବ୍ୟବହାରକାରୀଙ୍କୁ ପ୍ରଦାନ କରାଯିବ । ସରକାର କହିଛନ୍ତି ଯେ, ଏହା ସକ୍ରିୟ ହେବା ପରେ, ଏହି ପାସ୍ ୧ ବର୍ଷ କିମ୍ବା ୨୦୦ ଥର ଯାତ୍ରା କରିବା ପାଇଁ ଭାଲିଡିଟି ଦେବ । ଅର୍ଥାତ୍, ଯଦି ସମୟ ପୂର୍ବରୁ ୨୦୦ ଥର ଯାତ୍ରା ସମାପ୍ତ ହୁଏ, ତେବେ ବ୍ୟବହାରକାରୀଙ୍କୁ ପୁଣି ଥରେ ପାସ୍ ନବୀକରଣ କରିବାକୁ ପଡିବ ।
୧୫ ଅଗଷ୍ଟ, ୨୦୨୫ରୁ ୩,୦୦୦ ଟଙ୍କା ମୂଲ୍ୟର ଏକ ଫାସ୍ ଟ୍ୟାଗ୍ ଆଧାରିତ ବାର୍ଷିକ ପାସ୍ ଉପଲବ୍ଧ ହେବ ବୋଲି ପୋଷ୍ଟରେ କହିଛନ୍ତି । ଏହି ପାସ୍ ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ ପାଇଁ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ରହିବ। ” ଏତଦ୍ବ୍ୟତୀତ ଏହି ପାସ୍ ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନ କାର, ଜିପ୍, ଭ୍ୟାନ ଇତ୍ୟାଦି ପାଇଁ ଉପଲବ୍ଧ ହେବ । ସାରା ଦେଶରେ ଜାତୀୟ ରାଜପଥରେ ଯାନବାହନ ପାଇଁ ଲାଗୁ ହେବ ।