ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ଏକ ରୋଚକ ଘଟଣା ଘଟିଛି । ରାଜପଥରେ ବିୟର ଲୁଟ୍ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଭଳି ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀରେ ।
ଘଟଣା ଅନୁସାରେ, ଜାତୀୟ ରାଜପଥରେ ଯାଉଥିବାବେଳେ ବିୟର ବୋଝେଇ ଏକ ଟ୍ରକ୍ ଓଲଟି ପଡ଼ିଥିଲା । ଏହା ଦେଖିବା ପରେ ଲୋକମାନେ ଡ୍ରାଇଭରକୁ ଉଦ୍ଧାର କରିବେ କ’ଣ, ବିୟର ବୋତଲ ଲୁଟିବା ଆରମ୍ଭ କରିଦେଲେ । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ଲୋକମାନେ ବିୟର ବୋତଲ ଆଣିବା ପାଇଁ ଦୌଡୁଛନ୍ତି । କିଛି ଲୋକ ପୁଲିସକୁ ଚକମା ଦେଖାଇବାକୁ ହେଲମେଟ ପିନ୍ଧି ବିୟର ଲୁଟ କରୁଥିବା ଦେଖିବାକୁ ମିଳିଥିଲା ।
ଟ୍ରକଟିରେ ପ୍ରାୟ ୨୦୦ କାର୍ଟୁନ୍ ବିୟର ବୋଝେଇ ହୋଇଥିଲା । ଟ୍ରକ୍ ଓଲଟି ପଡ଼ିବାପରେ ବିୟର କାର୍ଟନ ଗୁଡ଼ିକ ଖସିପଡ଼ିଥିଲା ଓ ବିୟରବୋତଲ ଗୁଡ଼ିକ ଏଣେତେଣେ ବିଛାଡ଼ି ହୋଇପଡ଼ିଥିଲା । ଆଖପାଖର ଲୋକେ ଏସଂପର୍କରେ ଜାଣିବାପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଲୁଟ ଆରମ୍ଭ କରିଦେଇଥିଲେ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା, ଯିଏ ଯେତୋଟି ବିୟର ବୋତଲ ପାଇଲା ଉଠାଇ ଦୌଡ଼ୁଥିଲା । କେବଳ ଆଖପାଖର ଲୋକେ ନୁହନ୍ତି, ରାସ୍ତାରେ ବାଇକ ଓ କାରରେ ଯାଉଥିବା ଲୋକମାନେ ମଧ୍ୟ ଏହା ଦେଖି ନିଜ ନିଜ ଗାଡ଼ି ଅଟକାଇ ବିୟର ବୋତଲ ଗୋଟାଉଥିବା ଦେଖାଯାଇଥିଲା ।