(ପୁରୀ) : ଦିବ୍ୟସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପୀଡିତ ଅଛନ୍ତି । ଆଜି ଏହି ଠାକୁରଙ୍କର ପଞ୍ଚାମୃତ ସ୍ନାନ ନୀତି ବଢ଼ିବା ପରେ ଅଣସର ବିଧି ପାରମ୍ପରିକ ନୀତିରେ ଆରମ୍ଭ ହୋଇଥିଲା। ଏହି ସମୟରେ ଉକ୍ତ ପଟ୍ଟଚିତ୍ର ଠାକୁର ଓ ଚଳନ୍ତି ପ୍ରତିମାଙ୍କ ନିକଟରେ ଶ୍ରୀମନ୍ଦିରର ଦୈନଦିନ ନୀତି ଚାଲିବ। ପ୍ରତ୍ୟହ ମଧ୍ୟାହ୍ନ ଧୂପ ନୀତି ପରେ ଅଣସର ତାଟିର ଧୁକୁଡ଼ି ଦ୍ୱାର ଦେଇ ଦଇତାପତି ସମୂହ ଶ୍ରୀବିଗ୍ରହଙ୍କର ଗୁପ୍ତ ସେବା କରିବେ। ଏହି ସେବକଙ୍କ ବ୍ୟତିତ ଅନ୍ୟ ସେବକମାନେ ମଧ୍ୟ ଏହି ସମୟରେ ଠାକୁରଙ୍କ ଦର୍ଶନ କରିପାରି ନଥାନ୍ତି।
ଦୀର୍ଘ ୧୫ ଦିନ ଧରି ଦାରୁବ୍ରହ୍ମ ଶ୍ରୀବିଗ୍ରହମାନଙ୍କ ସମସ୍ତ ସେବା ଦଇତାପତି ସେବକମାନେ ତୁଲାଇବେ। ଜ୍ୱର ରୋଗୀଙ୍କ ଭଳି ଶ୍ରୀବିଗ୍ରହଙ୍କୁ ସରଳ ଖାଦ୍ୟ ଯଥା ଲିଆ, ଛତୁ, ଗୁଡ଼-ଖଇ ଆଦି ଅର୍ପଣ କରାଯିବ। ଏହି ସମୟରେ ଠାକୁର ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ଧାରଣ କରିବେ। ଏହି ସମୟରେ ଦଇତାପତିମାନେ ଏକବସ୍ତ୍ର ହୋଇ ମହାପ୍ରଭୁଙ୍କ ସେବା କରିବେ। ଏହି ୧୫ ଦିନ ମହାପ୍ରଭୁଙ୍କ ଠାରେ ପଣା ଓ ଚକଟା ଭୋଗ ଲାଗି କରାଯିବାକୁ ଥିବା ବେଳେ ପଟିଦିଅଁଙ୍କୁ ଅନ୍ନପ୍ରସାଦ ଭୋଗ କରାଯାଏ।
ଏହା ପରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ହେବ। ଏହା ପରଦିନ ବିଶ୍ୱପ୍ରସିଦ୍ଧ ନବଦିନାଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଅନ୍ୟପଟେ ଅଣସରରେ ମହାପ୍ରଭୁମାନଙ୍କ ଦର୍ଶନ ନ ପାଇ ଭକ୍ତଙ୍କ ଭିଡ଼ ବ୍ରହ୍ମଗିରି ଅଲାରନାଥଙ୍କ ନିକଟରେ ଜମିଛି। ବିଶ୍ୱାସ ରହିଛି ଏହି ୧୫ ଦିନ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସମାନ ପୁଣ୍ୟଫଳ ମିଳିଥାଏ।