ବରଯାତ୍ରୀ ଦଳ ସହ ଗଣ୍ଡଗୋଳ ଘଟଣାରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହି ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି । ଅଭିଯୁକ୍ତ ବାପିନା ପରିଡାଙ୍କୁ ପୋଲିସ ସାଇଫୁନ ଛକ ନିକଟରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତ ବାପିନାଙ୍କ ନାମରେ ପୂର୍ବରୁ ମଧ୍ୟ ସମ୍ପୃକ୍ତ ଥାନାରେ ଦୁଇଗୋଟି ଅପରାଧିକ ମାମଲା ରହିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୧ତାରିଖର ସନ୍ଧ୍ୟାରେ ଅଭିଯୋଗକାରୀ ସୌମ୍ୟ ରଞ୍ଜନ ସାହୁ ବରଯାତ୍ରୀ ଦଳ ସହିତ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗ୍ରାମକୁ ଯାଇଥିଲେ । ବରଯାତ୍ରୀ ଦଳ ରୋଷଣୀ କରି ଯାଉଥିବା ବେଳେ, ପୂର୍ବ ବିବାଦକୁ କେନ୍ଦ୍ର କରି ନିମ୍ନୋକ୍ତ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ବରଯାତ୍ରୀ ଦଳ ସହ ଯାଉଥିବା ସୌମ୍ୟ ରଞ୍ଜନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କ ଉପରକୁ ଟେକାପଥର ମାଡ଼ କରିବା ସହ ଏକ ଗାଡିକୁ ବାଡ଼େଇ ଭାଙ୍ଗି ଦେଇଥିଲେ ଏବଂ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ଏହି ଆକ୍ରମଣ ଯୋଗୁଁ ସୌମ୍ୟ ରଞ୍ଜନ ସାହୁ ଏବଂ ଆଶୁତୋଷ ପଢିଆରୀ ନାମକ ଅନ୍ୟ ଜଣେ ଯୁବକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ଅଭିଯୋଗକାରୀ ସୌମ୍ୟ ରଞ୍ଜନ ସାହୁଙ୍କ ଏତଲା ଆଧାରରେ ନନ୍ଦନକାନନ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।