ଭୁବନେଶ୍ବର: ଓଡ଼ିଶାକୁ ପୁଣି ବାତ୍ୟା ଭୟ। ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଆଶଙ୍କା ରହିଛି। ବାତ୍ୟାଟି ଓଡ଼ିଶାମୁହାଁ ହୋଇପାରେ ବୋଲି କିଛି ମଡେଲର ଆକଳନରୁ ଜଣାପଡିଛି । ଚଳିତ ମାସ ଶେଷ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର ୨ରୁ ୩ ତାରିଖ ଆଡ଼କୁ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ। ଯାହା ଓଡ଼ିଶାମୁହାଁ ହେବାର ଅଧିକ ସମ୍ଭାବନା ରହିଛି । ୧୯୯୯ ମହାବାତ୍ୟା, ୨୦୨୩ ଫାଇଲିନ ଆଦି ବାତ୍ୟା ଅକ୍ଟୋବାର ମାସରେ ହୋଇଛି । ତେଣୁ ଅକ୍ଟୋବରେ ଆଉ ଏକ ବାତ୍ୟା ଆସିପାରେ ବୋଲି କୁହାଯାଉଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୧୫ ଦିନ ପୂର୍ବରୁ ହୋଇଥିବା ଆକଳନରେ ଏଭଳି କିଛି ପୂର୍ବାନୁମାନ କରାଯାଇଛି। ତା’ ସହ ଅନ୍ୟ କିଛି ପାଣିପାଗ ମଡେଲ୍ ବି ଏନେଇ ସୂଚନା ଦେଇଛି।
ଭାରତୀୟ ପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନ ମଧ୍ୟ ଏଥିରେ ସହମତ ଥିବା ସୂଚାଉଛି। ଆଇଏମଡି ସୂଚନା ମୁତାବକ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଦ୍ୱିତୀୟ ସପ୍ତାହ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତ କିମ୍ବା ‘ବାତ୍ୟା’ରେ ପରିଣତ ହେବାର ଅଳ୍ପ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।