ଭୁବନେଶ୍ୱର: ଆସୁଛି ଆଉ ଏକ ପଶ୍ଚିମା ଝଡ । ରାଜ୍ୟରେ ବର୍ଷା ଜାରି ରହିଥିବା ବେେଳେ ପଛକୁ ପଛ ଆଉ ଏକ ଝଡ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ୩୧ରେ ବର୍ଷା ପ୍ରଭାବ ଆହୁରି ଅଧିକ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ଏହା ପରେଆସନ୍ତା ୨ ତାରିଖ ବେଳକୁ ଆଉ ଏକ ନୂଆ ପଶ୍ଚିମା ଝଡ଼ ଭାରତର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ। ସମ୍ଭବତଃ ୪ ତାରିଖ ବେଳକୁ ଏହା ଓଡ଼ିଶା ଉପରେ ପ୍ରଭାବ ପକାଇପାରେ। ଆଜି ୧୫ ଜିଲ୍ଲା ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବେଲି କରିଛି ଅଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ କଟକରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କଟକ ଓ ଢେଙ୍କାନାଳରେ ୭ରୁ ୧୧ ମିଲିମିଟର ବର୍ଷା ହୋଇପାରେ । କିଛି ସ୍ଥାନରେ କୁଆପଥର ମାଡ଼ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ସେହିପରି ଆସନ୍ତାକାଲ ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧ ତାରିଖ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଉପକୂଳ ଓ ଉତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ କହିଛି ଅଞ୍ଚଳିକ ପାଣିପାଗ କେନ୍ଦ୍ର ।