(ଆଦର୍ଶ ରାଉତ)ରିପୋର୍ଟସଟୁଡେ: କୃଷି ବିଭାଗର ଚାଲୁଥିବା ନାନା କେଳେଙ୍କାରୀକୁ ଗୋଟିଏ ପରେ ଗୋଟିଏ ସଫା କରିବା ଆରମ୍ଭ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଏହି କ୍ରମରେ ଦୀର୍ଘଦିନ ଧରି ଡେପୁଟେସନରେ ଆସି ଭୁବନେଶ୍ୱରରେ ଆସ୍ଥାନ ଜମାଇଥିବା ୨୧ଜଣ କୃଷି ଅଧିକାରୀଙ୍କୁ ମୂଳ ପଦବୀକୁ ଫେରାଇଦେଇଛନ୍ତି । ଏନେଇ ଆଜି କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ନିଯୁକ୍ତି ହୋଇଥିବା ସହକାରୀ କୃଷି ଅଧିକାରୀମାନେ ଡେପୁଟେସନରେ ଆସି କୃଷି ନିର୍ଦ୍ଦେଶାଳୟକୁ ଆସି ଆଉ ଫେରିବାର ନାଁ ଧରୁନଥିଲେ । ଏମାନେ ରାଜଧାନୀକୁ ଆସିବା ପରେ ଆଉ ଜିଲ୍ଲାକୁ ଫେରିବାକୁ ମଙ୍ଗୁନଥିଲେ । ଯେମିତି ହେଉ କଳେ ବଳେ ରାଜଧାନୀରେ ରହିଆସୁଥିଲେ । ଇତି ମଧ୍ୟରେ ଏହି ସହକାରୀ କୃଷି ଅଧିକାରୀମାନେ ପଦୋନ୍ନତି ପାଇଛନ୍ତି ।
ତେବେ ପଦୋନ୍ନତି ପାଇଲାପରେ ମଧ୍ୟ କିଛି ଅଧିକାରୀ ନିର୍ଦ୍ଦେଶାଳୟରେ ରହିବା ପାଇଁ ବି ଉଦ୍ୟମ ଚଳାଇଥିଲେ । ହେଲେ କୃଷିମନ୍ତ୍ରୀ ଡକ୍ଟର ସାହୁଙ୍କ ନଜରକୁ ଏହା ଆସିବା ପରେ ତୁରନ୍ତ ଏହି ଅଧିକାରୀମାନଙ୍କୁ ସେମାନଙ୍କ ମୂଳ ଜିଲ୍ଲା ସମେତ ଅନ୍ୟ ସ୍ଥାନକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଭାଗରେ ମୋ ସରକାର ଓ ୫-ଟି ଲାଗୁ ପରେ ଡେପୁଟେସନରେ ଆସି ବିଭାଗ ଓ ନିର୍ଦ୍ଦେଶାଳୟରେ ରହିବା ପ୍ରଥାକୁ ଏକ ପ୍ରକାର ଉଚ୍ଛେଦ କରାଯାଇଛି ।
ମନ୍ତ୍ରୀଙ୍କ ଆଭିମୁଖ୍ୟ ଦେଖି କର୍ତ୍ତୃପକ୍ଷ ୨୧ଜଣ ସହକାରୀ କୃଷି ଅଧିକାରୀଙ୍କୁ ପଦୋନ୍ନତି ସହିତ ଅନ୍ୟ ସ୍ଥାନକୁ ପଠାଇ ଦେଇଛନ୍ତି । ଏହି ଅଧିକାରୀମାନେ ଫୁଲବାଣୀ,ସୁବର୍ଣ୍ଣପୁର,ନୟାଗଡ,ଢେଙ୍କାନାଳ,ପୁରୀ,ବରଗଡ,କେନ୍ଦ୍ରାପଡା,ଗଞ୍ଜାମ ଆଦି ଜିଲ୍ଲାକୁ ବଦଳି ହୋଇଥିବାବେଳେ ଦୁଇଜଣ ଅଧିକାରୀଙ୍କୁ ରାଜଧାନୀରେ ଥିବା ବିଭାଗର ଅନ୍ୟ ଦପ୍ତରକୁ ପଠାଇ ଦିଆଯାଇଛି ।