ନାଟମଣ୍ଡପର ବିମ୍ ଅସୁରକ୍ଷିତ ! ତତ୍ପର ହୋଇଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ

0

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପର ବିମ୍ ଅସୁରକ୍ଷିତ ଥିବା ଆମିକସ୍ କ୍ୟୁରୀ ଏନ୍ କେ ମହାନ୍ତି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ବିଭିନ୍ନ ମହଲରେ ଏଏସାଆଇର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାହାକୁ ନେଇ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ତତ୍ପର ହୋଇଛି । ଏଏସଆଇର ନିର୍ଦ୍ଦେଶକ ଏବଂ ଓଡିଶା ଏଏସଆଇର ସୁପରିଟେଡେଣ୍ଟ ମିଳିତ ଭାବେ ଶ୍ରୀମନ୍ଦିର ଯାଇ ନାଟମଣ୍ଡପ ବିମର ସ୍ଥିତି ଅନୁଧ୍ୟାନ କରିଛନ୍ତି। ନାଟମଣ୍ଡପର ସମ୍ମୁଖଭାଗ ବିମ୍ ଯଦିଓ ଦୁର୍ବଳ ରହିଛି ହଠାତ ସେଭଳି କିଛି ଅଘଟଣ ଘଟିବାର ସମ୍ଭାବନା ନଥିବା ଏଏସଆଇର ଓଡ଼ିଶା ସୁପରିଟେଡେଣ୍ଟ ଜି.ବି. ଗଡ଼ନାୟକ ପ୍ରତିକ୍ରିୟା ରଖିଛନ୍ତି। ନାଟମଣ୍ଡପ ବିମ୍ ରେ ଥିବା ଫାଟର ମରାମତି ଓ ଏହାର ସୁରକ୍ଷା ପାଇଁ ଏଏସଆଇ ଏବଂ ଶ୍ରୀମନ୍ଦିର କୋରକମିଟି ସଦସ୍ୟ ମାନେ ନଜର‌ ରଖିଛନ୍ତି। ଏହାର ମରାମତି ମଧ୍ୟ ସଠିକ୍ ଭାବରେ କରାଯିବ ବୋଲି ଏଏସଆଇ ସୁପରିଟେଡେଣ୍ଟ ସୂଚନା ଦେଇଛନ୍ତି।

ଏଏସାଆଇ ଟିମ୍ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ବେଳେ ରଥଯାତ୍ରା ସମୟରେ ହୋଇଥିବା ମରାମତି ଏବଂ ସଂଗ୍ରକ୍ଷଣ କାର୍ଯ୍ୟର ସମୀକ୍ଷା କରିଥିଲେ। ସେହିପରି ଆଗାମୀ ଦିନରେ ମରାମତି ଓ ସଂଗ୍ରକ୍ଷଣ କାର୍ଯ୍ୟ ସଠିକ୍ ଭାବେ ହୋଇପାରିବ ତାହା ମଧ୍ୟ ସମୀକ୍ଷା କରିଛନ୍ତି। ସେପଟେ ଶ୍ରୀମନ୍ଦିର ପାର୍ଶ୍ଵ ଦେବଦେବୀ ମନ୍ଦିର ଗୁଡ଼ିକ ବହୁ ପୁରାତନ ହୋଇଥିବାରୁ କିଛି ମନ୍ଦିରରେ ପାଣି ଗଳୁଥିବା ନଜରକୁ ଆସିଛି। ତେଣୁ ଏହାର ମରାମତି କାର୍ଯ୍ୟ ମଧ୍ୟ ଆସନ୍ତା କାର୍ତ୍ତିକ ମାସ ପରେ କରାଯିବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ସୁପରିଟେଡେଣ୍ଟ। ସେପଟେ ଶ୍ରୀମନ୍ଦିରରେ ଭିନ୍ନକ୍ଷମ ମାନଙ୍କ ସୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ଉତ୍ତର ଦ୍ଵାର ପଟେ ଦିବ୍ୟାଙ୍ଗ ଭକ୍ତଙ୍କ ଯାତାୟାତ ପାଇଁ ରାମ୍ପର ବ୍ୟବସ୍ଥା କରାଯିବ।

ହାତୀ ଦ୍ୱାର ଦେଇ ରାମ୍ପ କରାଯିବ। ଏକ ନିର୍ଦ୍ଦିଷ୍ଟ ପଥରରେ ରାମ୍ପ କରାଯିବ। ଯାହା ଫଳରେ ଦିବ୍ୟାଙ୍ଗ ଭକ୍ତମାନେ ସୁରକ୍ଷିତ ଭାବେ ଯିବା ଆସିବା କରିପାରିବେ। ତେବେ ଶ୍ରୀମନ୍ଦିରରେ ଏବେ ଅଧିକ ଭିଡ ଲାଗି ରହୁଥିବାରୁ କାର୍ତ୍ତିକ ମାସ ପରେ ଏହି ସବୁ କାର୍ଯ୍ୟ କରାଯିବ ବୋଲି ଏଏସାଆଇ ପକ୍ଷରୁ କୁହାଯାଇଛି। ଶ୍ରୀମନ୍ଦିରର ମରାମତି ଓ ସଂଗ୍ରକ୍ଷଣ ଦିଗରେ ଏଏସଆଇ କର୍ତ୍ତୁପକ୍ଷ ଅବହେଳା ପ୍ରଦର୍ଶନ କରୁଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇ ଆସୁଛି। ଐତିହ୍ୟ କୀର୍ତ୍ତିରାଜି ଶ୍ରୀମନ୍ଦିରର ସୁରକ୍ଷା ଦିଗରେ ଏଏସାଆଇ ସଠିକ୍ ଭାବରେ କାର୍ଯ୍ୟ କରିବାକୁ ବିଭିନ୍ନ ମହଲରେ ଦାବି ହୋଇ ଆସୁଛି।