(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ୧୯ ଲଢେଇ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରାୟତଃ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଆଉ ଅଳ୍ପ କିଛି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ବାକି ରହିଛି । ଯାହାକି ଗୋଟେ କି ଦୁଇ ଦିନ ମଧ୍ୟରେ ଘୋଷଣା କରିପାନ୍ତି ତିନି ପ୍ରମୁଖ ରାଜନୈତିକ ଦଳ । ଦଳମାନେ ଚଳିତ ବର୍ଷ କିଛି ନୂଆ ମୁହଁଙ୍କୁ ଟିକେଟ ଦେଇଛନ୍ତି । ଏଥର ତିନି ପ୍ରମୁଖ ଦଳ ମହିଳା ପ୍ରାର୍ଥୀଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛନ୍ତି । ସେହପରି ଚଳିତ ନିର୍ବାଚନରେ ଆସିକା ଆସନରୁ ନିଜର ରାଜନୈତିକ ଇନିଂସର ଡେବ୍ୟୁ କରିବାକୁ ଯାଉଛନ୍ତି ଦୁଇ ମହିଳା । ଏହି ଦୁଇ ମହିଳାଙ୍କ ମଧ୍ୟରେ ଅଛନ୍ତି ବିଜେଡିର ପ୍ରମିଳା ବିଶୋୟୀ ଏବଂ ବିଜେପିର ଅନିତା ପ୍ରିୟଦର୍ଶିନୀ । ତେବେ ଉଭୟ ଏମିତି ଏକ ଆସନରୁ ପ୍ରାର୍ଥୀ ହୋଇଛନ୍ତି ଯାହା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନଙ୍କ ରାଜନୀତି କ୍ୟାରିଅରର ପ୍ରଥମ ନିର୍ବାଚନୀ ମୈଦାନ ଭାବେ ଜଣାଶୁଣା । ତେବେ ନବୀନଙ୍କ ପୁରୁଣା ଏବଂ ପ୍ରଥମ ରାଜନୀତି ମୈଦାନରୁ ଦୁଇ ମହିଳା ନିଜ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି । କାହାର ଜିତାପଟ ହେବ ଆଉ କିଏ ମାତ୍ ଖାଇବ ତାହା ଉପରେ ନଜର ରହିଛି । ନବୀନ ପଟ୍ଟନାୟକ ଜନତା ଦଳରୁ ପ୍ରାର୍ଥୀ ହୋଇ ଏହି ଲୋକସଭା ଆସନରୁ ନିଜର ରାଜନୀତି ଇଂନିସ ଆରମ୍ଭ କରିଥିଲେ । ଏହାପରେ ବିଜେଡି ଜନ୍ମ ହେବା ପରଠାରୁ ଏହି ଲୋକସଭା ଆସନକୁ ନିଜ କବଜାରେ ବିଜେଡି ରଖିଥିବାବେଳେ ଏଥର ମହିଳା ପ୍ରାର୍ଥୀଙ୍କୁ ଏଠାରୁ ସୁଯୋଗ ଦେଇଛନ୍ତି ବିଜେଡି ସୁପ୍ରିମୋ ।