ଅସିତ ତ୍ରିପାଠୀ ହୋଇପାରନ୍ତି ମୁଖ୍ୟ ଶାସନ ସଚିବ !

0

(ହର ପ୍ରସାଦ ବିଶୋଇ)ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ଖୁବ ଶୀଘ୍ର ଏକ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ରହିଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପରବର୍ତ୍ତୀ ରାଜ୍ୟ ନିର୍ବାଚନ କମିଶନର ହେବେ ବୋଲି ଚର୍ଚ୍ଚା ହେଉଛି । ଶ୍ରୀ ପାଢୀଙ୍କ ଦୀର୍ଘ ଦିନର ଅଭିଜ୍ଞତା ଓ କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ମୁଖ୍ୟ ସଚିବ ଦାୟିତ୍ୱ ୧୯୮୬ ବ୍ୟାଚ୍ ଆଇଏଏସ ଅଫିସର ତଥା ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀଙ୍କ ଉପରେ ନ୍ୟସ୍ତ କରାଯିବ ବୋଲି ସୂଚନ ମିଳିଛି । ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟକାଳ ୨୦୨୦ ଡିସେମ୍ବର ମାସ ପର୍ଯ୍ୟନ୍ତ ରହିଛି ।
ସୂଚନା ଅନୁଯାୟୀ, ରାଜ୍ୟ ନିର୍ବାଚନ କମିଶନର ନବକୁମାର ନାୟକଙ୍କ କାର୍ୟ୍ୟକାଳ ଚଳିତବର୍ଷ ମାର୍ଚ୍ଚ ମାସରୁ ଶେଷ ହୋଇସାରିଛି । ମାତ୍ର ନୂତନ ନିଯୁକ୍ତି ହୋଇନଥିବାରୁ ଶ୍ରୀ ନାୟକ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଇ ଆସୁଛନ୍ତି । ଶ୍ରୀ ପାଢ଼ୀଙ୍କର ଅବସର ସୀମା ଆଉ ଛଅ ମାସ ବାକି ଥିବାରୁ ତାଙ୍କୁ ଏହି ନୂତନ ପଦବୀରେ ନିୟୋଜିତ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଯାହାର ଅବସର ବୟସ ସୀମା ୬୫ବର୍ଷ । ଆଗକୁ ପୌର ନିର୍ବାଚନ ଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।