କଟକ : ବୟସ ଅତିକ୍ରାନ୍ତ କରିଯାଇଥିବା ପ୍ରାର୍ଥୀମାନଙ୍କ ଲାଗି ଆଶ୍ବସ୍ତି । ଆଇ ଆର ବି ବାଟାଲିଆନ କନଷ୍ଟେବଳ ସିପାହୀ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟ ଦେଇଛନ୍ତି ବଡ ବୟାନ । ବୟସ ସୀମା ୩ ବର୍ଷ କୋହଳ କରିବା ଲାଗି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ତେବେ ଏ ସଂକ୍ରାନ୍ତରେ ମଙ୍ଗଳବାର ରାଜ୍ୟ ସରକାର ବିଦ୍ଧିବଦ୍ଧ ଭାବେ ନିଷ୍ପତ୍ତି ନେଇଥିବା ଆଡ଼ଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କଲାପରେ ଏହି ନିର୍ଦେଶନାମା ପ୍ରକାଶ ପାଇଛି।
ସୂଚନ ଅନୁଯାୟୀ , ଗତ ୫ ବର୍ଷ ଭିତରେ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। ଯଦ୍ୱାରା ବୟସ ଅତିକ୍ରାନ୍ତ କରିଯାଇଥିବା ପ୍ରାର୍ଥୀମାନେ ପ୍ରକ୍ରିୟାରୁ ବାଦ ପଡ଼ିଥିଲେ। ପରେ ଅବଶ୍ୟ ସେମାନଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟଙ୍କ ଜଣିକିଆ ବିଚାରପତି ୬ ବର୍ଷ ବୟସ ସୀମା କୋହଳ କରିବାକୁ ନିର୍ଦେଶ ଦେଇଥିଲେ। ଯାହାକୁ ରାଜ୍ୟ ସରକାରଙ୍କ ତରଫରୁ ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହା ଭିତରେ ଆଇଆରବି ବାଟାଲିଆନ କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିଲା। ତେବେ ପ୍ରକ୍ରିୟାରୁ ବାଦ ପଡିବା ଯୋଗୁଁ କିଛି ପ୍ରାର୍ଥୀ ପୁନଃ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ଆବେଦନକୁ ଗ୍ରହଣ କରି ନିଯୁକ୍ତି ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଜାରୀ କରିଥିଲେ ହାଇକୋର୍ଟ।