(ସୁବର୍ଣ୍ଣପୁର / ଓମ୍ ପ୍ରକାଶ ମିଶ୍ର ) : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବିଭିନ୍ନ ଶୈବପୀଠରେ ଜଳାଲାଗି କରିଛନ୍ତି ଶହଶହ ଶ୍ରଦ୍ଧାଳୁ । ସୁବର୍ଣ୍ଣପୁରରେ ମଧ୍ୟ ଶ୍ରାବଣ ଦ୍ୱିତୀୟ ସୋମବାରରେ ଅଷ୍ଟଶମ୍ଭୁଙ୍କ ନିକଟରେ ପାଣି ଚଢାଇଛନ୍ତି କାଉଡିଆମାନେ । ସୁବର୍ଣ୍ଣପୁରସହରର ତେଲନଦୀ, ମହାନଦୀର ତ୍ରିବେଣୀ ସଙ୍ଗମରୁ ହଜାର ହଜାର ଶ୍ରଦ୍ଧାଳୁ ପାଣି ନେଇ ବାବା ରାମେଶ୍ବର, ଚନ୍ଦ୍ରଶେଖର, ସୁବର୍ଣ୍ଣମେରୁ, ଗୋକର୍ଣ୍ଣେଶ୍ବର ଓ ପଶ୍ଚିମ ସୋମନାଥ ମନ୍ଦିରରେ ଜଳ ଅଭିଷେକ କରିଛନ୍ତି । ରାତ୍ରୀର ଦ୍ବିତୀୟ ପ୍ରହରରୁ ଶ୍ରଦ୍ଧାଳୁମାନେ ରାତ୍ରୀର ଶେଷ ପ୍ରହରରେ ମନ୍ଦିରର କବାଟ ଖୋଲିବା ପରେ ଶ୍ରଦ୍ଧାଳୁମାନେ ବାବା ବୈଦ୍ୟନାଥ ଙ୍କୁ ପାଣି ଚଢାଇଥିଲେ ।ସେହିପରି ତ୍ରିବେଣୀ ସଙ୍ଗମରୁ ଶ୍ରଦ୍ଧାଳୁ ଓ କାଉଡିଆମାନେ ପାଣି ନେଇ ଜିଲ୍ଲାର ଚରଦାର କପିଳେଶ୍ବର, ବଦ୍ୟନାଥର କୋଶଳେଶ୍ବର, ଚମ୍ପାପୁରର ଚମ୍ବେଶ୍ବର ଓ ଗୋଧନେଶ୍ବର ଆଦି ପ୍ରାଚୀନ ଶୈବପୀଠକୁ ଯାଇଥିଲେ । ତେବେ ତ୍ରିବେଣୀ ସଙ୍ଗମରୁ ପାଣି ନେଇ ରାମେଶ୍ବର ମହାପ୍ରଭୁଙ୍କ ମୁଣ୍ଡରେ ଢାଳିଲେ କୋଟି ଜନ୍ମର ପାପ ଧୋଇ ହୋଇ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ଶ୍ରଦ୍ଧାଳୁ ଓ କାଉଡିଆମାନଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ଆଶ୍ରୟ ବ୍ୟବସ୍ଥା କରିବା ଓ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରିଛନ୍ତି ମନ୍ଦିର କମିଟି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡିକ।