ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ,ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

0

ଉଦାରବାଦୀ ରାଜନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୫ମ ପୂଣ୍ୟତିଥି । ନିଜର ଭାଷଣର ଦକ୍ଷତା , ହସ ହସ ମୁହଁ ଓ ବିଚାରଧାରା ପାଇଁ ଓ ବିଚାରଧାରା ପାଇଁ ବାଜପେୟୀ ଳୋକଙ୍କର ବେଶ୍ ପ୍ରିୟ ଥିଲେ । ସେ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଗ୍ବାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।୨୦୧୮ ଅଗଷ୍ଟ ୧୬ ତାରିଖ ଅର୍ଥାତ ଆଜିର ଦିନରେ ଏହି ମହାନ ରାଜନେତାଙ୍କ ପରଲୋକ ଘଟିଥିଲା।ଏହି କିମ୍ବଦନ୍ତୀ ପୁରୁଷଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ବରିଷ୍ଠ ନେତା।

ବାଜପେୟୀଙ୍କ ସମାଧି ସ୍ଥଳ ସୈଦେବ ଅଟଳରେ ସ୍ବତନ୍ତ୍ର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ବାଜପେୟୀଙ୍କ ଝିଅ ନମିତା ଭଟ୍ଟାଚାର୍ୟ୍ୟ ଓ ଜ୍ବାଇଁ ରଂଜନ ଭଟ୍ଟାଚାର୍ୟ୍ୟ ମଧ୍ୟ ସମାଧି ସ୍ଥଳରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଗ୍ବାଲିୟରର ଭିକ୍ଟୋରିଆ କଲେଜରୁ ସେ ସ୍ନାତକ ଡିଗ୍ରୀ ପ୍ରାପ୍ତ କରିଥିଲେ। ଛାତ୍ର ଜୀବନରୁ ହିଁ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍)ରେ ସ୍ବୟଂସେବକ ହୋଇଥିଲେ। ଏପରିକି ସେ ଅଧାରୁ ପାଠ ଛାଡ଼ି ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ ରାଷ୍ଟ୍ରୀୟ ସ୍ବୟଂସେବକ କାର୍ୟ୍ୟରେ ନିଜକୁ ସାମିଲ କରିଥିଲେ।

ବାଜପେୟୀ ୧୯୫୧ରେ ରାଜନୀତିରେ ପାଦ ଦେଇଥିଲେ । ୧୯୫୫ରେ ସେ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲେ। ଏହାପରେ ସେ ୧୯୫୭ରେ ସାଂସଦ ହୋଇଥିଲେ। ସେହିପରି ସେ ଲୋକସଭାକୁ ନଅ ଥର ଓ ରାଜ୍ୟସଭାକୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ନୂଆଦିଲ୍ଲୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ମୋରାଜୀ ଦେଶାଇ ସରକାର ସମୟରେ ସେ ବିଦେଶ ମନ୍ତ୍ରୀ ଥିଲେ। ବିଦେଶ ମନ୍ତ୍ରୀ ଭାବେ ଭାରତୀୟ ରାଜନୀତିକୁ ତାଙ୍କର ଯୋଗଦାନ ଅତୁଳନୀୟ। ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ, ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ।