ରାସ୍ତା ମଝିରେ ଅଧ୍ୟାପକଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ 

0

ଉଦଳା/ଦୀପକ ମିଶ୍ର : ପଛରୁ ଆସିଲେ ହାତରେ ବଡ ଭୁଜାଲି ଧରି ହାଣିଲେ । ଆଉ ମୁଣ୍ଡରେ ହେଲମେଟ ଥିବାରୁ ଅଳ୍ପକେ ଜୀବନ ବଂଚାଇପାରିଲେ ଅଧ୍ୟାପକ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା କୁକୁରଡିମା ଛକ ନିକଟରେ । କପ୍ତିପଦା ଥାନା ନୁଦଡିହା ମେଘାସନ ମହାବିଦ୍ୟାଳୟ ଯୁକ୍ତ ୩ ଗଣିତ ବିଭାଗର ଅଧ୍ୟାପକ ରୂପେଶ କୁମାର ମହାପାତ୍ର ଆଜି କଲେଜ ଯାଉଥିଲେ । ବାଇକରେ କଲେଜ ଯାଉଥିବା ବେଳେ କୁକୁରଡିମା ଛକ ନିକଟରେ ଦୁଇ ଜଣ ଯୁବକ ପଛ ପଟୁ ବାଇକରେ ଆସି ଏକ ବଡ ଭୁଜାଲିରେ ତାଙ୍କ ମୁଣ୍ଡକୁ ହାଣିଥିଲେ ।

ଅଧ୍ୟାପକ ରୂପେଶ ହେଲମେଟ ପିନ୍ଧିଥିବାରୁ ଭୁଜାଲି ଚୋଟ ହେଲମେଟରେ ବାଜିଥିବା ବେଳେ ଅଳ୍ପକେ ବର୍ତି ଯାଇଥିଲେ ରୂପେଶ । ହେଲେ ଦୁଇ ଦୁର୍ବୃତ୍ତ  ପୁଣି ଭୁଜାଲିରେ ତାଙ୍କୁ ହାଣିବା ବେଳେ ତାଙ୍କ କାନ୍ଧରେ ଗୁରୁତର କ୍ଷତ ହୋଇଥିଲା । ଯାହାକି ରୂପେଶ ଆକ୍ରମଣ ଜାଣି ପାରି ଘଟଣାସ୍ଥଳରୁ ଖସିଯିବାକୁ ନିଜ ବାଇକ ବୁଲାଇଥିବା ବେଳେ ଦୁର୍ବୃତ୍ତମାନେ କିଛି ବାଟ ତାଙ୍କୁ ଗୋଡାଇଥିଲେ । ହେଲେ ସେ ନିକଟସ୍ଥ ଗ୍ରାମ ଭିତରକୁ ପଶିଯିବାରୁ ଦୁର୍ବୁତ୍ତମାନେ ସେଠାରୁ ଖସି ଚାଲିଯାଇଥିଲେ । ତେବେ କେଉଁ କାରଣରୁ ସ୍ପଷ୍ଟ ଦିବା ଲୋକରେ ବିଚ୍ ରାସ୍ତାରେ ରାଜ୍ୟ  ରାଜପଥରେ ଜଣେ ଅଧ୍ୟାପକଙ୍କୁ ଏପରି ଦୁଇ ଜଣ ଦୁର୍ବୃତ୍ତ ହାଣିଲେ ତାହାର ଖୋଳତାଡ କରୁଛି ପୋଲିସ । ହେଲେ କେଉଁ କାରଣରୁ ଏହି ମରଣାନ୍ତକ ଆକ୍ରମଣ ହୋଇଛି ତାହା ଅସ୍ପଷ୍ଟ ରହିଛି ।