ଭୁବନେଶ୍ୱର: ଦାଦାବଟୀକୁ ବିରୋଧ କରିବାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଏନେଇ ଭରତପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପ୍ରଶାନ୍ତ ସେନାପତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ସାଇ ଶଙ୍କର ବସର କଣ୍ଡକ୍ଟର ହୋଇଥିବା ବେଳେ ବସଟିକୁ ସେ ନିୟମିତ ଭାବେ ବରମୁଣ୍ଡା ବସ-ଷ୍ଟାଣ୍ଡରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ କରିଥାନ୍ତି । ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ବରମୁଣ୍ଡା ବସ-ଷ୍ଟାଣ୍ଡକୁ ନିୟମିତ ଭାବେ ଯାଇ ତାଙ୍କୁ ଦିନକୁ ୧୦୦୦ ଟଙ୍କା ଦାଦାବଟି ଦେବାପାଇଁ ଦାବି କରନ୍ତି । ଘଟଣା ଦିନ ଅଭିଯୁକ୍ତ ପ୍ରଶାନ୍ତ ଏବଂ ତାଙ୍କର ୭ ରୁ ୮ ଜଣ ସହଯୋଗୀ ସେଠାରେ ପହଞ୍ଚି ଅଭିଯୋଗକାରୀଙ୍କୁ ଦାଦାବଟି ମାଗିଥିଲେ । ଅଭିଯୋଗକାରୀ ଦାଦାବଟି ଦେବା ନିମନ୍ତେ ମନା କରିବାରୁ ଅଭିଯୁକ୍ତ ମାନେ ହଠାତ ତାଙ୍କୁ ଏକ ଲୁହାଛଡ ସାହାଯ୍ୟରେ ଆକ୍ରମଣ କରିବା ସହିତ ପାଖରେ ଥିବା ୬,୪୦୦ ଟଙ୍କା ନେଇଯାଇଥିଲେ । ଏନେଇ ଭରତପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରି ଆଜି ବିଶେଷ ସୂତ୍ରରୁ ଖବର ପାଇ ସାନପୁଟ ଗ୍ରାମରେ ଚଢଉ କରି ଉକ୍ତ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ । ନିମ୍ନୋକ୍ତ ଅଭିଯୁକ୍ତଙ୍କ ନାମରେ ଖଣ୍ଡଗିରୀ ଥାନାରେ ପୂର୍ବରୁ ମଧ୍ୟ ୩ ଗୋଟି ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।