ଭାରତରେ ଧାର୍ମିକସ୍ଥଳ ଉପରେ ଆକ୍ରମଣ

0

ନୂଆଦିଲ୍ଲୀ : କାଶୀରେ ଜ୍ଞାନବାପୀ ଓ ମଥୁରାରେ ଇଦଗାହ ମସଜିଦ ପୁଣି ଥରେ ବିବାଦ ଘେରରେ । ଅଯୋଧ୍ୟା ପରି ହିନ୍ଦୁ ମନ୍ଦିର ଭାଙ୍ଗି ମୁସଲମାନ ସେଠାରେ ମସଜିଦ ନିର୍ମାଣ କରାଯାଇଛି ବୋଲି ହିନ୍ଦୁ ମାନେ ଦାବି କରିଛନ୍ତି । ତେଣୁ ଏପରି ଐତିହାସିକ ଭୂଲକୁ ସୁଧାରିବା ପାଇଁ ପ୍ରୟାସ ହେବା ଆବଶ୍ୟକ ବୋଲି ହିନ୍ଦୁ ସଂପ୍ରଦାୟ ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି । ସର୍ବ ପୁରାତନ ବେଦ ଋକବେଦରେ କୌଣସି ମନ୍ଦିରର ବର୍ଣ୍ଣନା ନାହିଁ । ଏହି ବେଦରେ ଲୋକମାନେ ସୂର୍ଯ୍ୟ, ଆକାଶ ଓ ଅଗ୍ନିଙ୍କ ପରି ଦେବତାଙ୍କୁ ପ୍ରଶଂସା କରାଯାଉଥିଲା । ଆଉ ଏପରି ଦେବତାଙ୍କ ପାଇଁ କୌଣସି ମନ୍ଦିର ନଥିଲା । ଆଉ ସେହି ସମୟରେ କେବଳ ଯଞ୍ଜର ପ୍ରଚଳନ ରହିଥିଲା । ୧୦୦୦ ରୁ ୫୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ପରି ଦେବାଦେବୀଙ୍କ ବିଷୟରେ ପୁରାଣରେ ବର୍ଣ୍ଣିତ ହୋଇଥିଲା । ଖ୍ରୀଷ୍ଟପୂର୍ବ ୭୦୦ରୁ ୫୦୦ ମଧ୍ୟରେ ଭାରତରେ ବୌଦ୍ଧ ଓ ଜୈନ ଧର୍ମର ଆରମ୍ଭ ହୋଇଥିବା ନେଇ ତଥ୍ୟ ରହିଛି । ବୌଦ୍ଧ ଓ ଜୈନ ପ୍ରଚାରକଙ୍କ ସ୍ମରଣାର୍ଥେ ଶ୍ରଦ୍ଧାଳୁ ମାନେ ସ୍ମୃତିସ୍ତମ୍ଭ ନିର୍ମାଣ କରାଯାଇଥିଲା । ଆଉ ସେହିଠାରୁ ମନ୍ଦିର ନିର୍ମାଣ କରିବାକୁ ହିନ୍ଦୁ ମାନଙ୍କୁ ପ୍ରେରଣା ମିଳିଥିଲା ବୋଲି ଐତିହାସିକ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଐତିହାସିକ ନୀରଦ ଚୌଧୁରୀଙ୍କ କହିବାନୁସାରେ, ୪୦୦ରୁ ୫୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ କିଛି ପୁରାତନ କିର୍ତ୍ତି ରହିଛି, ଯାହା ମୂର୍ତ୍ତି ପୂଜାର ସଙ୍କେତ ଦେଉଛି ବୋଲି କହିଛନ୍ତି । ସେହିପରି ବଡ଼ ବଡ଼ କୃଷକ ଓ ଆଭିଜାତ୍ୟପୂର୍ଣ୍ଣ ଲୋକମାନେ ସର୍ବପ୍ରଥମେ ମନ୍ଦିର ନିର୍ମାଣ କରିଥିଲେ । ଆଉ ବ୍ରାହ୍ମଣ ମାନଙ୍କ ଦ୍ୱାରା ମନ୍ଦିରର ରକ୍ଷଣାବେକ୍ଷଣ ହୋଇଥିଲା ବୋଲି ମାଇଥୋଲୋଜିଷ୍ଟ ଦେବଦତ୍ତ ପଟ୍ଟନାୟକ କୁହନ୍ତି । ସେହିପରି ୭୦୦ ଖ୍ରୀଷ୍ଟାବ୍ଦରେ କାଞ୍ଚିପୂରମର ପଲ୍ଲବ, ବାଦାମୀର ଚାଲୁକ୍ୟ ସମେତ ରାଜାଙ୍କ ରାଜତ୍ୱ ସମୟରେ ବିଭିନ୍ନ ରାଜ୍ୟରେ ମନ୍ଦିର ନିର୍ମାଣ କରିବାକୁ ପ୍ରୋତ୍ସାହିତ କରାଯାଉଥିଲା ବୋଲି ଐତିହାସିକ ମନୁ ଦେବଦେବନ କହିଛନ୍ତି । ପରେ ୧୦୦୦ ରୁ ୧୨୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ପ୍ରାୟତଃ ସବୁ ସହରରେ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ସେହିପରି ଜଣାଶୁଣା ଐତିହାସିକ ରିଚାର୍ଡ ଇଟନ ଓ ପ୍ରୋଫେସର ରିଚାର୍ଡ ଏଚ. ଡେଭିସଙ୍କ ବୌଦ୍ଧ, ଜୈନ ତୀର୍ଥସ୍ଥଳ ସମେତ ବହୁ ମନ୍ଦିର ନଷ୍ଟ କରି ମୂର୍ତ୍ତି ଚୋରି ହେବା ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ।

କିନ୍ତୁ ଏହି ସମସ୍ତ କାର୍ଯ୍ୟ ହିନ୍ଦୁ ରାଜାମାନେ କରୁଥିଲେ ବୋଲି କୁହାଯାଏ । ଆଉ ଯେତେବେଳେ ରାଜାମାନେ ଧାର୍ମିକସ୍ଥଳର ଛବିକୁ ନଷ୍ଟ କରୁଥିଲେ. ସେତେବେଳେ ମୁସଲିମ ବା ତୁର୍କିମାନେ ଭାରତ ଆସିନଥିଲେ ବୋଲି ପ୍ରୋଫେସର ରିଚାର୍ଡ ଡେଭିସ କହିଛନ୍ତି । ଯେତେବେଳେ ଗୋଟିଏ ରାଜା ଅନ୍ୟ ରାଜ୍ୟର ମନ୍ଦିର ନଷ୍ଟ କରିବା ସହ ମୂର୍ତ୍ତି ଚୋରି କରୁଥିଲେ, ତାହା ପଛରେ ସେମାନଙ୍କ ବିଜୟର ଧ୍ୱଜା ସ୍ଥାପନ ବୋଲି କୁହାଯାଉଥିଲା । ସେହିପରି ୧୦୦୦ ରୁ ୧୦୩୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ମହମ୍ମଦ ଗଜନୀ ଭାରତ ଉପରେ ଆକ୍ରମଣ କରି ବହୁତ ହିନ୍ଦୁ ମନ୍ଦିର ନଷ୍ଟ କରିଥିବା ପ୍ରମାଣ ରହିଛି । କିଛି ମୁସଲିମ ଶାସକ ଦେଶରେ ପ୍ରାୟ ୬୦ହଜାର ମନ୍ଦିର ଧ୍ୱଂସ କରିଥିଲେ ବୋଲି କିଛି ହିନ୍ଦୁ ସଂଗଠନ ଦାବି କରୁଥିବା ବେଳେ ଐତିହାସିକ ଡି.ଏନ.ଝା ଏବଂ ରିଚାର୍ଡ ଇଟନଙ୍କ ମତରେ ପ୍ରାୟ ୮୦ ମନ୍ଦିରକୁ ନଷ୍ଟ କରାଯାଇଥିଲା ବୋଲି ସେମାନଙ୍କ ପୁସ୍ତକରେ ଲେଖିଛନ୍ତି । ସେହିପରି ୬୦ ଦଶକରେ ପ୍ରାୟ ୩୦୦ ମନ୍ଦିର ଭଙ୍ଗା ଯାଇଥିଲା ବୋଲି ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲା ବୋଲି ଐତିହାସିକ ହରବଂଶ ମୁଖିଆ କହିଛନ୍ତି ।

କିନ୍ତୁ ତାର କିଛି ବର୍ଷ ପରେ ଏହି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଁ ୩୦ହଜାରରେ ପହଞ୍ଚିଥିଲା । ଯେଉଥିରେ ଅଯୋଧ୍ୟା, ମଥୁରା, ବୃନ୍ଦାବନ, ଆହ୍ଲାବାଦ ପରି ପ୍ରମୁଖ ସ୍ଥାନରେ ବହୁ ଐତିହାସିକ ମନ୍ଦିରର ଏବେ ଚିହ୍ନବର୍ଣ୍ଣ ନାହିଁ ବୋଲି କୁହାଯାଏ । ୧୯୯୦ ମସିହାରେ ଐତିହାସିକ ସୀତାରାମ ଗୋଏଲ, ଅରୁଣ ସୋରୀ, ହର୍ଷ ନାରାୟଣ, ଜୟ ଦୁବାସୀ ଓ ରାମ ସ୍ୱରୁପ ମିଳିତ ଭାବେ ‘ଦ ହିନ୍ଦୁ ଟେମ୍ପଲ, ହ୍ୱାଟ ହାପଣ୍ଡ ଟୁ ଦେମ’ ନାମକ ପୁସ୍ତକ ରଚନା କରିଥିଲେ । ଯେଉଁଥିରେ ୧୮୦୦ରୁ ଊଦ୍ଧ୍ୱର୍ ବିବାଦୀୟ ସ୍ଥଳ ରହିଛି । ଯେଉଁଠି ମନ୍ଦିର ଜାଗାକୁ କରାୟତ କରାଯାଇ ସେହି ମନ୍ଦିରର ସାମଗ୍ରୀକୁ ଅନ୍ୟତ୍ର ବ୍ୟବହାର କରାଯାଇଛି । ସେମାନଙ୍କ ମଧ୍ୟରେ ବାବରୀ ମସଜିଦ, ଜ୍ଞାନବାପୀ ମସଜିଦ, ପିଞ୍ଜୋର ଗାର୍ଡେନ ପ୍ରଭୃତିର ନାମ ଉଲ୍ଲେଖ ରହିଛି ।